Mana Smara Brusabhanu Kisori

ମନ ସ୍ମର ବୃଷଭାନୁ କିଶୋରୀ
(Srichandana)
(ଶ୍ରୀଚନ୍ଦନ)

ମନ ସ୍ମର ବୃଷଭାନୁ କିଶୋରୀ ପୟରେ । ଘୋଷା ।

ଚାରୁ କୁନ୍ତଳେ ଜୂଡ଼ା ଶ୍ୟାମଘନ ଜ୍ଞାନବୁଡ଼ା
ମୂଳେ କୁସୁମ ପାଖୁଡ଼ା
ଗନ୍ଧେ ଅଳି କରେ କ୍ରୀଡ଼ା ଅର୍ଦ୍ଧଚନ୍ଦ୍ର
ତା ପରେ ସିନ୍ଦୂର ରେ । ୧ ।

ଅପୂର୍ବ ରଙ୍ଗ ପିନ୍ଧିଣ ଉରେ କାଞ୍ଚଲୀ ଶୋଭନ
ନାନାଦି କୁସୁମମାନ
ମାଳ ଲମ୍ବିତ ଯତନ ନୀଳବାସ
ଓଢ଼ଣୀ ଯାହାର ରେ । ୨ ।

ସରୁକଟିରେ କିଙ୍କିଣୀ କୃଷ୍ଣ ମନ ଉଦାସିନୀ
ଝୁଣ୍ଟିଆ ଝୁଣ୍ଟିଆ ବାଣୀ
ଡାକ ଦିଏ ବେଳ ଜାଣି ଶ୍ରୀପୟରେ
ରୁଣିତ ନୂପୁର ରେ । ୩ ।

ଯେଉଁ ଚରଣରେ ଚିତ୍ର ଚକ୍ରଧର ଧ୍ୱଜ ଛତ୍ର
ଯବ ବଳୟ ପବିତ୍ର
ପୁଷ୍ପ ଊର୍ଦ୍ଧ୍ୱରେଖା ପତ୍ର ଅର୍ଦ୍ଧଚନ୍ଦ୍ର
ଅଙ୍କୁଶେ ସୁନ୍ଦର ରେ । ୪ ।

ବାମ ପଦରେ ଏ ବ୍ୟକ୍ତ ଦକ୍ଷିଣେ ଗଦା ପର୍ବତ
କୁଣ୍ଡଳ ମତ୍ସ୍ୟ ବିଦିତ
ସ୍ୟନ୍ଦନ ବେଦୀ ସହିତ ଶକ୍ତି ଆଦି
ବନଜ ଅମ୍ବର ରେ । ୫ ।

ଉନବିଂଶତି ଚିହ୍ନରେ ଚିହ୍ନିତ ଯେଉଁ ପାଦରେ
ଚିତ୍ତ ନିବେଶି ତହିଁରେ
ଭଜ ନିତି ବିଶ୍ୱାସରେ ଲଭିବୁ ତୁ ନିଶ୍ଚେ
ବ୍ରଜପୁରରେ । ୬ ।

ଶ୍ରୀଗୁରୁ ଯା ଛନ୍ତି କହି ସାଧ ଦେହେ ତାହା ଧ୍ୟାଇ
ଶ୍ରୀରୂପ ଗଣରେ ଯାଇଁ
ସେବାରେ ନିଯୁକ୍ତ ହୋଇ ଡାକିବେ ସେ
ଠାରିଣ ଶ୍ରୀକରେ । ୭ ।

ପ୍ରେମମୟୀ ରାଧା ମତି ତା ବିନୁ ନାହିଁନା ଗତି
ଯହିଁ ବୃନ୍ଦା ଦଇବତୀ
ନିଜେ ବୃନ୍ଦାବନେ ସ୍ଥିତି ସୌଭାଗ୍ୟ କି
ହେବ ମୋହନର ରେ । ୮ ।