Rase Bilase Go

ରାସେ ବିଳସେ ଗୋ
(SrichandanaEkatali)
(ଶ୍ରୀଚନ୍ଦନଏକତାଳି)

ରାସେ ବିଳସେ ଗୋ ସକଳ ରସିକା
ମତ୍ତଭରେ ନୃତ୍ୟ କରେ ଗାନ୍ଧର୍ବୀ ରାଧିକା । ଘୋଷା ।

ଧ୍ରୀମି ଧ୍ରୀମି ଧ୍ରୀମି ବାଜେ ପ୍ରବଳ ମର୍ଦ୍ଦଳ
ଝନ ଝନ ଝମକଇ ମନ୍ଦିରା ମୃଦୁଳ । ୧ ।
ବିଶାଖା କର ଚରଣ ଘୁଙ୍ଗୁର ମିଳାଏ
ତୁଙ୍ଗବିଦ୍ୟା ବଲ୍ଲକୀରେ ଝଲକନ୍ତି ପାୟେ । ୨ ।
ପ୍ରେମ ପକ୍ଷ ପଞ୍ଜରିକା ସକଳ ମଞ୍ଜରୀ
କେ ବାୟେ ଡମ୍ପ ଝଞ୍ଜରୀ କେ ବାୟେ ବାଂଶରୀ । ୩ ।
କମ୍ପିଣ ଚମ୍ପକଲତା ବଜାଏ ମୃଦଙ୍ଗ
ଇନ୍ଦୁରେଖା ମିଳାଇଣ ତଥି ମୁହୁରଙ୍ଗ । ୪ ।

ରଙ୍ଗଦେବୀ ସୁଦେବିକା ଗାନ ତାନ ଛଳେ
ରାଗର ଆଳାପ ଉଠେ ଧ୍ରୁବର ମଣ୍ଡଳେ । ୫ ।
ସାରିଗମପଧନିସା ସାସାରି ସାସାରି
ରିମପମ ଧନିଧପା ନିଧପମ
ଭରି । ୬ ।
ତାତା ଥେଇ ତାତା ଥେଇ ଥୋ ତାକ ଥୋ ତାକ
ଥୋ ଦ୍ରିମି ଥୋ ଦ୍ରିମି ଦ୍ରିମି ଥୋ ଦ୍ରିମି ଥୋତାକ
। ୭ ।

ପହିଲେ ଉଠିଣ ଧୃତ ମାଳବ ମାଳବ
ମଙ୍ଗଳ ତୋଡ଼ି ବରାଡ଼ି ଧନାଶ୍ରୀ ଭୈରବ
। ୮ ।
ଧନାଶ୍ରୀ ମାଳଶ୍ରୀ ପଟ କୌଶିକ ମଞ୍ଜରୀ
କାମୋଦୀ ଆମୋଦି ବସନ୍ତକ ମୁଖାବରୀ
। ୯ ।
ମୋହନ ମୋହନା ଆଉ ବେଲାଳ ଗୁଜ୍ଜରୀ
ସୁରଞ୍ଜନ ସୁରଞ୍ଜନ ପ୍ରଚଣ୍ଡ ଗୁଣ୍ଡରି । ୧୦ ।
ମହ୍ଲାର କେଦାର ସାବେରୀ ଯେ ଆସାବରୀ
ମରୁତର ମାରୁଆ ଭଇରବ ଗଉରୀ । ୧୧ ।
ପ୍ରଗୁପ୍ତ ରେଗୁପ୍ତ ଯେ ଲକାର ଯେ ଉଦ୍ଭବ
ପଟତାଳ ଏକତାଳି ତ୍ରିପଟା ପ୍ରଭବ । ୧୨ ।
ଏଇ ମତି ଯତିତାଳ ରୂପକ ଝମ୍ପକ
ସର୍ବ ତାଳ ରାଗୀ ରାଗ ଆପଣ କାରୀକ । ୧୩ ।

ବାମେ ରାଇ ରସବତୀ ଦକ୍ଷିଣେ ଲଳିତା
ମଧ୍ୟେ ଇନ୍ଦ୍ରନୀଳମଣି ଚନ୍ଦ୍ରମା ଉଦିତା । ୧୪ ।
ଆନନ୍ଦ ଚିନ୍ମୟ ରୂପେ ବୃନ୍ଦାଦେବୀ ଉଭା
ପୁଷ୍ପ ବୃଷ୍ଟି କରେ ହେରି ଦୁହିଙ୍କର ଶୋଭା । ୧୫ ।
ବାଜଇ ଦୁନ୍ଦୁଭି ବାଜା ଉଦ୍ଧତ ନାଦରେ
ଆକାଶେ ଗନ୍ଧର୍ବପତି ଥାକି ନୃତ୍ୟ କରେ । ୧୬ ।
ନାଚେ କୃତ୍ତିବାସ ହୃଷ୍ଟେ ପାର୍ବତୀର ସାଥେ
ଆନନ୍ଦେ ନାରଦ ନାଚେ ବୀଣା ନେଇ ହାଥେ । ୧୭ ।
ଶ୍ରୀରୂପ ମଞ୍ଜରୀ ହୋଏ ନିଷ୍ଠା ଜରଜତି
ବୋଲେ ଶ୍ରୀଚନ୍ଦନ ତାର ଏଇ ସେ ସମ୍ପତ୍ତି । ୧୮ ।