Rasabati Sange Range

ରସବତୀ ସଙ୍ଗେ ରଙ୍ଗେ
(Srichandana)
(ଶ୍ରୀଚନ୍ଦନ)

ରସବତୀ ସଙ୍ଗେ ରଙ୍ଗେ ରସିକ
ରଙ୍ଗେ ରସିକଶେଖର ବିହରିଲେ ଗୋ । ଘୋଷା ।

ଝଳି ପୂର୍ଣ୍ଣଚନ୍ଦ୍ର ରଜନୀ
ଝଳି ପୂର୍ଣ୍ଣ ଚନ୍ଦ୍ରବଦନୀ
ବ୍ରଜ ଯୁବରାଜ ଭେଳା କରି ଆଜ
କିବା ରସସିନ୍ଧୁ ପହଁରିଲେ ଗୋ । ୧ ।

କାମରାଜ ସଙ୍ଗେ ସମର
ଇଚ୍ଛା କରି ନାଗରୀବର
ନାଗରରାଜଙ୍କୁ କିପରି କରିକି
ପୁଲିନ କାନନୁ ବୁହାଇଲେ ଗୋ । ୨ ।

ପଞ୍ଚବାଣ ପ୍ରପଞ୍ଚ ଦାଉ
ପାଞ୍ଚିବାକୁ କି ଅଛି ଆଉ
ଲାଜ ଧନ ଲାଞ୍ଚ ଦେଇ କାଞ୍ଚଲାକୁ
ଚଞ୍ଚଳ ଭଙ୍ଗୀକି ସଂହରିଲେ ଗୋ । ୩ ।

ଭୂରୁ ଚାପେ ଅଞ୍ଜନ ଗୁଣ
ରଖି ଯୋଖି ନୟନବାଣ
କିବା ଉଦ୍ଦେଶ୍ୟରେ ବୁଝିବା କାଳରେ
ଦମ୍ଭେ ଦମ୍ଭୋଳୀକି ଜୁହାରିଲେ ଗୋ । ୪ ।

ରୁଣଝୁଣ ନୂପୁର ନାଦ
ରଣଜୟ ଟମକ ନାଦ
ଭାଷେ ଶ୍ରୀଚନ୍ଦନ ହେରି ଏ ବିଧାନ
ଜାଣି କାମରାଜ ଓହରିଲେ ଗୋ । ୫ ।