Kunje Kunje Gheni

କୁଞ୍ଜେ କୁଞ୍ଜେ ଘେନି
(Srichandana)
(ଶ୍ରୀଚନ୍ଦନ)

କୁଞ୍ଜେ କୁଞ୍ଜେ ଘେନି କୁଞ୍ଜରଗମନୀ
କ୍ରୀଡ଼ା କରେ କୁଞ୍ଜ ବିନୋଦିଆ
କୁନ୍ଦନ କମରେ ମର୍କତ ନାୟକ
ନିବିଡ଼ରେ ହେଲା ପ୍ରାୟେ ଜୂଆ । ଘୋଷା ।

କି ହେମଲତିକା ତମାଳେ ଜଡ଼ିତ
କଳାମେଘ କୋଳେ ବିଜୁଳି ସ୍ଥକିତ
ନୀଳପଞ୍ଜରୀରେ ବସନ୍ତ ପକ୍ଷୀକି
ଅଥୟ ହେଉଛି ନିଶ୍ଚେ ନୂଆ । ୧ ।

ଭ୍ରମ ହେଲା ବୁଦ୍ଧି ଚେତନା ନିକର
ଚମ୍ପାଫୁଲେ କିବା ଜଡ଼ିଲା ଭ୍ରମର
ନିକସା ଉପରେ ଜମ୍ବୁନଦ ଗାର
ମିହ୍ନା ଫୁଙ୍କା ସୁନା ତାର ହିଆ । ୨ ।

ରସଗର୍ଭ ବାଣୀ ମନ୍ତର ଉଚ୍ଚାରି
ନୀଳମଣି ସ୍ଥଳେ ବିଚାରି ବିଚାରି
ନାଗ ନାଗରୀକି ଉଚ୍ଚାଟ କରିକି
ଖେଳାଇଛି ମୋର ଗାରଡ଼ିଆ । ୩ ।

ଯେତେ ଲୀଳା କଲେ ମାଧବୀ ମାଧବ
ରତି କାମ ତ୍ରାସେ ପଡ଼ି ସେ ନବ
ଭାଷେ ଦୀନ ହୀନ କବି ଶ୍ରୀଚନ୍ଦନ
ଧ୍ୟାନ କରି ଘନଶ୍ୟାମଳିଆ । ୪ ।