(ଶ୍ରୀଚନ୍ଦନ)
ପ୍ରାଣଧନ ବଂଶୀ ଦେଇ ରଖ ନିଜ ଦାସ ପ୍ରାଣ । ଘୋଷା ।
ତୋହର ଜିଣିମା ଦ୍ରବ୍ୟ ସେହି
ମୋ କ୍ଷମତା ତହିଁ କିଛି ନାହିଁ
ଦୟା ଚିତ୍ତ କରି ବଂଶୀ ଦିଅ ଗୋରୀ
ନୋହିଲେ ହେଲି ଉଚ୍ଛନ୍ନ । ୧ ।
ମୁହିଁ ଯେବେ ତୋର କିଣାଧନ
ବାଂଶରୀ ରଖି କି ପ୍ରୟୋଜନ
ଆୟୁଧ ସେ ମୋର ଚିତ୍ତରେ ବିଚାର
ତୁ କି ନ ଜାଣୁ ରାମାରତନ । ୨ ।
ଆଗୋ କୃପାମୟୀ କୃପା କର
ତୋ ବିନା ମୋର ଅଛି କେ ଆର
ଦାସଜନ ହେବି ସେବା ନିଯୋଗିବି
ଏହି ବାଞ୍ଛା ମୋର କରେ ମନ । ୩ ।
ଦୀନ ଶ୍ରୀଚନ୍ଦନ କହେ ସ୍ମରି
ପ୍ରିୟା ଆଗେ ଉଭା ବେଣୁଧାରୀ
ଯେତେ ଚାଟୁ କହି ନ ଭୁଲିଲା ସହି
ସ୍ତମ୍ଭୀଭୂତେ ରହିଲେ ମୋହନ । ୪ ।