Bije Mohini Mohana

ବିଜେ ମୋହିନୀ ମୋହନ
(Srichandana)
(ଶ୍ରୀଚନ୍ଦନ)

ଦେଖ ସଜନୀ ଗୋ ବିଜେ ମୋହିନୀ ମୋହନ
କଳା ଗୋରା ଭାଲ ତୋରା ହରଇ ଚେତନ ଗୋ । ଘୋଷା ।

ନଟବର ବେଶ ଦେଖ ଅତ୍ୟନ୍ତ ମାଧୁରୀ
ନଟିନୀର ଶିରୋମଣି ବଢ଼ାଏ ଚାତୁରୀ । ୧ ।

ଚନ୍ଦ୍ରଚୂଳ ଫୁଲ ଗଭା ଏକ ପଟେ ଯୋଖା
ନାସାଯୁଗେ ମୁକୁତା ବସନୀ ଅଛି ରଖା । ୨ ।

ରାଈ କରେ କୃଷ୍ଣ କର ଛନ୍ଦିଣ ରେ ଦିଅ
ନାଗର ଗଳାରେ ଭୁଜ ନାଗରୀର ଥୁଅ । ୩ ।

ତମାଳର ସାଥେ କିବା କନକର ଲତା
କେଉଁ ବିଧି କରିଅଛି ଏମନ୍ତ ଜଡ଼ିତା । ୪ ।

ପ୍ରେମ ମତ୍ତ ଭୋଳେ ବୋଲେ ଦୁଃଖୀ ଶ୍ରୀଚନ୍ଦନ
ଆନନ୍ଦ ସାଗରେ ବୁଡ଼ିଗଲେ ସଖୀଗଣ । ୫ ।