(ବିଶ୍ୱମ୍ଭର ରାଜେନ୍ଦ୍ର ଦେବ— ରାଗ ବଙ୍ଗଳାଶ୍ରୀ)
ହେ କଳା କିଶୋର ମୋର ନୀଳମଣି ମାଳା ହେ
କାହିଁ ବିଜେ କଲ ବନେ କାଟିଦେଇ ଗଳା ହେ । ଘୋଷା ।
କି କରିବି ଏବେ ରାସରସ ଲୀଳାନିଧି ହେ
ଆସ ଆସ ଆଉ କିଛି ଦିଶୁନାହିଁ ବୁଦ୍ଧି ହେ
(ପଡ଼ି)
ବାଇପରି ହୋଇ ପଳାଏ ଧାଇଁ
ବାଇ ବେଣୁ ବାରେ ରଖ କହ୍ନାଇ
ବଞ୍ଚିବ କେହି ସେ ନବ ଅବଳା
ମୁଞ୍ଚିଲ ଯେ ନନ୍ଦରତନ ବଳା । ୧ ।
ଆସିଲି ବୋଲି ତୁମ୍ଭର ସ୍ନେହେ ହୋଇ ବିକା ହେ
ନାଶିଲ ସୁଖ ରାତିରେ କରି ମୋତେ ଏକା ହେ
(ପଡ଼ି)
ଦେଲ ଯେ ବିପତ୍ତି କୁଞ୍ଜବିଳାସୀ
ଗେଲ କି ଏ ଗଲା ଉତ୍ତାରୁ ଭାସି
ଦେଖାଅ ମୁଖ ନ ରଖି ଗୋଳିଆ
ଶ୍ୟାମ ମୂରତି ହେ ଜାମୁଡାଳିଆ । ୨ ।
ଉଡ଼ିଲା ଆସି ସାହସ ଲୋଡ଼ି ଲୋଡ଼ି ଛନ୍ନେ ହେ
ଯୋଡ଼ିଏ ହେଲେ ମୋ ଡାକ ନ ପଡ଼ିଲା କାନେ ହେ
(ପଡ଼ି)
ଜହର କେ ହେଲେ ଦିଅନ୍ତା ଆଣି
ସହର ଏ ନୁହେ ମୁରଲୀପାଣି
ଅଳପ କଟାକ୍ଷ ଖେଳାଅ ଖରେ
ତଳପତୋଳା ଦାସୀଟା ଉପରେ । ୩ ।
କାନ୍ଦି କାନ୍ଦି ବୃନ୍ଦାବତୀ ହୋଇଲେ ମଉନ ଯେ
ଏକାଳେ କ୍ରୀଡ଼ାରେ ଥିବା ବ୍ରୀଡ଼ାବତୀ ଜନ ଯେ
(ପଡ଼ି)
କୃଷ୍ଣଙ୍କୁ ତହିଁ ନ ଦେଖି ନୟନେ
ଖୋଜିଲେ ବିକଳେ ଯମୁନା ବନେ
ସଖୀକି କେ ଚାହିଁ ଭାଷିଲା ଭାଷ
ବୋଲେ ବିଶ୍ୱମ୍ଭର ରାଜସୁରେଶ । ୪ ।