(ମୋହନ ଗୋସେଇଁ)
ଶ୍ୟାମ ନାଗରଙ୍କୁ ଆଉ ନ କର ମାନ
ପ୍ରାଣ ସଙ୍ଗିନୀ ଗୋ । ଘୋଷା ।
କହୁଛି ତୋ କର ଧରି ଗୁମାନ ନ କର ଗୋରୀ
ବାମ ନୟନେ କିଶୋରୀ ଚାହାଁ ଫେରି ଗୋ
ତୋ ବିହୁନେ ଶମ୍ବରାରି ମୁରଲୀଧାରୀଙ୍କି ସାରି
ଦେଉଅଛି ବିମ୍ବାଧରୀ ଦେଖରେ ନୃପନନ୍ଦିନୀ । ୧ ।
ଟେକ ଗୋ ମୁଖପଙ୍କଜ ସନ୍ତାପ ମନରୁ ତେଜ
ସଙ୍ଗେ ଘେନି ବ୍ରଜରାଜ ଚଳ ଆଜ ଗୋ
ଅଙ୍ଗେ ଆଭରଣ ସାଜ ବୃନ୍ଦା ବିପିନେ ବିରାଜ
କିମ୍ପା ହୁଅ ଲାଜ ଲାଜ ନାଗରୀ ମୁକୁଟମଣି । ୨ ।
ସଖୀମାନଙ୍କ ଦୟିନୀ ହୃଦରେ ଘେନି ମାନିନୀ
ଚାହିଁଲେ ବେନୁପାଣିଙ୍କି ନେତ୍ରେ ପାଣି ଗୋ
ମୋ ଲାଗି ଲାବଣ୍ୟଠାଣି କେତେ କଷ୍ଟ ସହିଲେଣି
ନ ବୁଝି ମୁହିଁ ପାପିନୀ ଦଣ୍ଡ ଦେଲି ଚିନ୍ତାମଣି । ୩ ।
ରାଧା ମାଧବ ମିଳନ ଚଉଦିଗେ ସଖୀଗଣ
ନାନା ବାଦ୍ୟେ ବିକମ୍ପନ କୁଞ୍ଜବନେ ଗୋ
ରସେ ଭାଷଇ ମୋହନ ହେ ପ୍ରଭୁ ରାଧାରମଣ
ଦିଅ ପ୍ରଭୁ ଶ୍ରୀଚରଣ ମୋର ଏହି ମାଗୁଣି । ୪ ।