(ମୋହନ ଗୋସେଇଁ— ଖେମଟା)
ଘନ ବରନ ମଦନମୋହନଙ୍କୁ
ଛନ୍ନଛନ୍ନ ହୋଇ ଚାହିଁଲୁକି ଗୋ । ଘୋଷା ।
ବନ ପାଇଁ ଯାଇ ବନ ପଛେ ରହି
ଥନଥନ ନେତ୍ରେ ଥରିଲୁକି ଗୋ
ନନ୍ଦନନ୍ଦନ ବଦନ ଚନ୍ଦ୍ରମାକୁ
ଦେଖି ପ୍ରିୟସଖୀ ଡରିଲୁକି ଗୋ । ୧ ।
ଜନଶୂନ୍ୟ ଯମୁନାତଟ ଘାଟରେ
ଏକୁଟିଆ ଠିଆ ହୋଇଲୁକି ଗୋ
ନଟକୂଟିଆ କପଟିଆ ଭୟରେ
କରୁ କଳସୀ ଖସାଇଲୁକି ଗୋ । ୨ ।
ଧନ ଜୀବନ ଯୌବନ ରତନକୁ
ତା ରୂପ ସ୍ରୋତେ ଭସାଇଲୁକି ଗୋ
ତାର ନୟନ କୃପାଣେ ଖରଶାଣ ବାଣେ
ହୃଦପଥର ଘଷାଇଲୁକି ଗୋ । ୩ ।
ମନମନ୍ଦିରେ କାଳନ୍ଦୀ ନଦୀ ତୀରେ
କାଳିଆ ନାଗକୁ ପାଳିଲୁକି ଗୋ
ଢାଳି କାଳକୂଟ ଜାଳିଦେଲା ବେଳେ
ଆଳିସଙ୍ଗେ ଭାଳି ନୋହିବୁକି ଗୋ । ୪ ।
ମାନସରେ ଭାଳି ସେହି ବନମାଳୀ
ଚାହାଣୀ ଛଟକେ ଢଳିଲୁକି ଗୋ
ଭାଷଇ ମୋହନ ମନମୋହନଙ୍କ
ଆଶାତରୁ ଫଳ ଫଳିଲୁକି ଗୋ । ୫ ।