Kunja Duare Kaha Nupura Dhwain

କୁଞ୍ଜ ଦୁଆରେ କାହା ନୂପୁର ଧ୍ୱନି
(Mohana Gosein— Raga Kamodi, Tala Ekatali)
(ମୋହନ ଗୋସେଇଁ— ରାଗ କାମୋଦୀ, ତାଳ ଏକତାଳି)

କୁଞ୍ଜ ଦୁଆରେ କାହା ନୂପୁର ଧ୍ୱନି
ପ୍ରିୟ ସଜନୀ ଗୋ । ଘୋଷା ।

ବହି ଆସୁଅଛି ମନ୍ଦ ମନ୍ଦ
ଭାବ ବିନୋଦିଆ ଅଙ୍ଗ ଗନ୍ଧ
ଝୁଲାଝୁଲି ନାଚି ଆସୁଅଛନ୍ତି କି
ବୃଷଭାନୁସୁତା କଣ୍ଠମଣି । ୧ ।

ମଧୁକର ପ୍ରେମେ ହୋଇ ମତ୍ତ
ଧାଇଁ ଆସୁଛନ୍ତି ଶତ ଶତ
ଅନୁରାଗ ଚିତ୍ତେ ଦେଖି ରାଧାନାଥେ
ଭାବାବେଶେ ହସେ କୁମୁଦିନୀ । ୨ ।

ସୁବାସ କୁସୁମ ବନେ ବନେ
ଫୁଟି ଉଠୁଛି ଗୋ ସ୍ନେହ ମନେ
ମଧୁସ୍ୱରେ ପିକ ଜଣାଇ ଦେଉଛି
ଅଇଲେଣି ରାଧା ମୁକୁଟମଣି । ୩ ।

ମନ ମୋ ହେଉଛି ଛନ୍ନଛନ୍ନ
ଚୋରି କଲା ପରି ପରଧନ
ନ ଦେଖିଲେ ତାଙ୍କୁ ଝୁରି ମରୁଥାଇ
ଦେଖିଲେ କାହିଁକି ହୁଏ ମାନିନୀ । ୪ ।

ଲଳିତା ସଙ୍ଗିନୀ ଦେଲା ଠାରି
ନୀପମୂଳେ ଲୁଚିଛନ୍ତି ହରି
ନାରୀ ମନ ଚୋରା ତା ପ୍ରେମ ପସରା
ଧରା ପଡ଼ିବ ସେ ଏହିକ୍ଷଣି । ୫ ।

ହସି ହସି ରସିକ ନଟବର
ବିଜୟ କିଶୋରୀ କେଳିପୁର
ଭାଷନ୍ତି ଶ୍ରୀମତୀ ଏତେ ଦିନେ କି ହେ
ମନେ ପଡ଼ିଲା ଜନ୍ମ ଦୁଃଖିନୀ । ୬ ।

ମିଳି କୁଞ୍ଜେ ରାଧା ବନମାଳୀ
ସଙ୍ଗିନୀଏ ଦେଲେ ହୁଳହୁଳି
ଦୀନ ହୀନ ମୋହନ ସେ ପାଦକୁ ଭାଳି
ଭାଳି ବହିବ କି ନେତ୍ରୁ ପାଣି । ୭ ।