Nena Nena Sakhi E Kusuma Hara

ନେନା ନେନା ସଖି ଏ କୁସୁମ ହାର
(Mohana Gosein)
(ମୋହନ ଗୋସେଇଁ)

ନେନା ନେନା ସଖି ଏ କୁସୁମ ହାର
ମନମୋହନକୁ ଦେନା ଲୋ
ସ୍ନେହାଧୀନା ଏହାକୁ ଗୁନ୍ଥିଛି ବୋଲି
କାଳିଆ ସୁନାକୁ କହନା ଲୋ । ଘୋଷା ।

ପୁଚ୍ଛିଲେ କହିବୁ ଦେଇଛି ହେ ତବ
ଚନ୍ଦ୍ରାବଳୀ ଚନ୍ଦ୍ରବଦନା ଲୋ
ହୋଇ ମହତସରା କଳଙ୍କ ପସରା
ମୋହ ପରି ଶିରେ ବହନା ଲୋ । ୧ ।

କୁଞ୍ଜବିହାରୀଙ୍କ କଣ୍ଠେ ଦେଇ ସହି
କିଞ୍ଚିତେ ଚାହିଁ ଆଉ ଚାହାଁନା ଲୋ
ତା କର ପରଶମାଳା ହୃଦରେ ପରଶିଲେ
ହେଉଛି କି ବିରହ ବେଦନା ଲୋ । ୨ ।

ପ୍ରେମମୟ ରୂପକୁ ବିଲୋକନ କରି
ମଉନେ ରହି କିଛି କହନା ଲୋ
ଚନ୍ଦ୍ରା ନାମ ଶ୍ରବଣେ ଚମକି ଉଠିଲେ
ମୋ ସଖୀ ହୁଅନ୍ତା ବିମନା ଲୋ । ୩ ।

ଶ୍ରୀ ରାଧାରମଣ ଚରଣକୁ ସ୍ମରି
ଏ ରସେ ଭାଷଇ ମୋହନା ଲୋ
ଦେଖିବିକି ସତେ ଏ ପାପ ନୟନେ
ସାଧୁଜନ ଚିତ୍ତଚନ୍ଦନା ଲୋ । ୪ ।