Kundahasi Hasi Rasija

କୁନ୍ଦହାସୀ ହସି ରସିଯା
(Krupamaya DebaKhemata)
(କୃପାମୟ ଦେବଖେମଟା)

କୁନ୍ଦହାସୀ ହସି ରସିଯା
ମନ୍ଦପସନ୍ଦ ବଚନାରେ
କୁନ୍ଦନ ବରନୀ ସୁନ୍ଦର ଦଶନୀ
ମନ୍ଦ ସୁଗମନାରେ । ଘୋଷା ।

ଖଞ୍ଜନାକ୍ଷୀ ସୁମଞ୍ଜୁଳ
ପଞ୍ଜରୀ ଫିଟା ଚଞ୍ଚଳ
ଖଞ୍ଜନ ନୟନେ ଅଞ୍ଜନ ଗୁଣକୁ
ରଞ୍ଜି ହୁଅ ସୁମନା । ୧ ।

କୁଞ୍ଚିତ ନୀଳ କୁନ୍ତଳା
ରଚି ନିଧୁବନ ଲୀଳା
ପଞ୍ଚଶର ତ୍ରାସ ନାଶିବାକୁ ଆସ
ସଜ ହୁଅ ସୁମନା । ୨ ।

ଖଣ୍ଡ ଦରପଣ ଝଳି
ଗଣ୍ଡମଣ୍ଡନା ମୋ ବାଳୀ
ମଣ୍ଡି ମୋର କୋଳ ଖଣ୍ଡ ଅମଙ୍ଗଳ
ପଣ୍ଡିତାଳୀ ମୋହନା । ୩ ।

ରାଜରାଜାଙ୍କ ମୁକୁଟ
ଗଜପତି ମହାରାଟ
ଇନ୍ଦ୍ରଖେମୁଣ୍ଡିର ବୀର କୃପାମୟ
ସାନ୍ଦ୍ର ଗୁଣି ରଚନା । ୪ ।