(ବନମାଳୀ— ରାଗ ଶୋକ କାମୋଦୀ)
ବିଷ ପୀୟୂଷ ବୋଲି ମୁଁ ଦେଖି ଚାଖି
ଆଗୋ ପ୍ରିୟସଖୀ । ଘୋଷା ।
ଦିନେ ହୋଇଥିଲି ଛିଡ଼ା ଛିଡ଼ା
ଆସି ମିଳିଗଲେ ଘରବୁଡ଼ା
ଭଲ କରି ଥରେ ଚାହିଁ ନ ପାରିଲି
ସେ ଦିନୁ ମୋ ମନ ଗଲା ଲାଖି ଗୋ । ୧ ।
ଗୋଟିକ ଯାକ ଦକ୍ଷିଣ ଆଖି
ବିପକ୍ଷଙ୍କ ପରେ ଥିଲି ରଖି
ଲାଜ ଭୟରୁ ବାମ ନେତ୍ର ଅର୍ଦ୍ଧେକ
ତାଙ୍କ ଅଧରେ ମୁଁ ଥିଲି ରଖି ଗୋ । ୨ ।
ଶେଷ ଅଞ୍ଚଳ ନୟନେ ଦେଇ
ନାଗରବରଙ୍କୁ ଦେଲି ଚାହିଁ
ତେତେବେଳେ ମନ ବିକଶି ଆସଇ
ନ ରସିବେ ମୋତେ ଆଉ କେହି ଗୋ । ୩ ।
ବନମାଳୀ ବୋଲେ ନବପୋଷା
ଆସି ମୋ ହୃଦେ କଲେଣି ବସା
ଗୋଟି ଗୋଟିକ ଘୋଟିବ ଏହିକ୍ଷଣି
ମୂଳ ହେଲାଣି ଭଗାରିହସା ଗୋ । ୪ ।