Naba Nabina Go Laja

ନବ ନବୀନା ଗୋ ଲାଜ
(Kartika)
(କାର୍ତ୍ତିକ)

ନବ ନବୀନା ଗୋ ଲାଜ କରୁଅଛୁ କେତେ
ଟେକ ଟେକ ଧନ ଚାରୁ ଚନ୍ଦ୍ରାନନ
ଜଣାଉଛି ଘେନ ଏତେ । ଘୋଷା ।

କେ କିସ ଲଗାଇ କହିଛିରେ ସହି
ଋଷିମୋହିନୀ ମୋ ନାଁରେ
ସେଥି ପାଇଁ ବାଳୀ ମନେ ବହି ଛଳି
କରୁଣା ଊଣା ମୋଠାରେ । ୧ ।

ମହୀକି ଅନାଇ ବସିଛୁ ଘୁମାଇ
ନଖେ ଚିରୁଛୁ ଅବନୀ
ମାନିନୀ ମନରୁ ମାନ ଦୂର କର
ଶରଦ ଚନ୍ଦ୍ରବଦନୀ । ୨ ।

ଆସିଣ ଅଙ୍କ ପଲଙ୍କ ମଣ୍ଡ ସୁଖେ
ଗଳେ ହୁଅ ଗଳାହାର
ଗଳାହାର କାହିଁ ଗଳକୁ କାଟଇ
ଏହା ନ ଭାବ ମନର । ୩ ।

ଜଳ ତେଜି ଯାଇ ମୀନ କି ବଞ୍ଚଇ
ବଞ୍ଚଇ ନବୀନା ନ ଭାବ ମନେ
କହେ ଦୀନ ହୀନ କାର୍ତ୍ତିକ ତୋହର
ଏହା ରଖିଥିବୁ ମନେ । ୪ ।