Naha Bina Saha Mote

ନାହା ବିନା ସାହା ମୋତେ
(Kartika)
(କାର୍ତ୍ତିକ)

ନାହା ବିନା ସାହା ମୋତେ
କେ ଏବେ ହୋଇବ ପୁଣି । ଘୋଷା ।

ମରମ ହେଉଛି ଯାହା କହିବି କା ଆଗେ ତାହା
କା ପାଶେ ହରିବି ଦିନ କେ ଭାଷିବ ଚାଟୁ ବାଣୀ । ୧ ।

ଶିଶିର ହେଲା ପ୍ରବେଶ ଛାଡ଼ିଯିବ ହେ ଜୀବେଶ
ନିଶି ହୋଇଲେ ପ୍ରବେଶ କେତେ ବଞ୍ଚିବି ରଜନୀ । ୨ ।

ଗ୍ରୀଷମେ ଶିରୀଷଦେହା ଆସି ପୁରେ ହେଲେ ଠିଆ
ଗୋଳିଣ ଚନ୍ଦନ ଚୂଆ ଅଙ୍ଗେ ବୋଳେ ମନ ଜାଣି । ୩ ।

ଆଷାଢ଼େ ବିଦ୍ୟୁଚମକ ମନ ହୁଏ ଦକଦକ
କହଇ ଦ୍ୱିଜ କାର୍ତ୍ତିକ ଚିତ୍ତେ ଚିନ୍ତି ଚକ୍ରପାଣି । ୪ ।