(ଅଜ୍ଞାତ କବି— ରାଗ ଲଳିତ, ତାଳ ଖେମଟା)
ମଧୁ କାଳ ହୋଇଲା ସଜନୀ
ଦିଶେ ସୁନ୍ଦର ଦିବା ରଜନୀ । ଘୋଷା ।
ଋତୁପତି ରସ ଘେନି କଲେଣି ବିଜେ
ସକଳ ପ୍ରାଣୀଙ୍କ ଚିତ୍ତେ ସୁଖ ଉପୁଜେ
ସରୋବରେ ଶୋଭିତ ନଳିନୀ । ୧ ।
ବକୁଳ ଚମ୍ପା ଅଶୋକ ନିଆଳୀ
ଫୁଟି ଶୋଭା ପାଉଛନ୍ତି ଭଳିକି ଭଳି
କାହିଁ ରହିଲେ ମୋ ବେଣୁପାଣି । ୨ ।
ଆନନ୍ଦେ ଭ୍ରମେ ଭ୍ରମର କୁସୁମ ବନେ
ମକରନ୍ଦ ପାନ କରେ ସରାଗ ମନେ
କରି ନିଜେ ପ୍ରଫୁଲ୍ଲେ ଦଇନୀ । ୩ ।
ଭାଷନ୍ତି ରାଧିକା ଦୂତୀ ଯାଅ ବହନ
ଆଣି ଭେଟାଅ ମୋହରେ ମୋ ପ୍ରାଣଧନ
ଦୂତୀ ଚଳେ ଆଣି ବେଣୁପାଣି । ୪ ।