Kahin Gale Sakhi Jamuna Kulia

କାହିଁ ଗଲେ ସଖୀ ଯମୁନା କୂଳିଆ
(Kartika)
(କାର୍ତ୍ତିକ)

କାହିଁ ଗଲେ ସଖୀ ଯମୁନା କୂଳିଆ
କଦମ୍ବମୂଳିଆ କାଳିଆ
ବେଶ ନଟବର ମୁରଲୀ ଅଧର
ମୋହନ ଶିଖଣ୍ଡଚୂଳିଆ । ଘୋଷା ।

ଦିନେ ଯାହା କଲେ କଦମ୍ବ ମୂଳେ
କଳା ଭୂତ ହେଲେ ରାଧା ମନ୍ଦିରେ
ମାୟାଧର କେତେ ମାୟା କରି ପୁଣି
ହୋଇଲେ ସେ ଗୋପ ଗୁଣିଆ । ୧ ।

ତା ଲାଗି ଆମ୍ଭଙ୍କୁ ଯମୁନା ମନା
ଗୋପେ ବାଜୁଅଛି ନିନ୍ଦା ବାଜଣା
ପାଟକ କୁଳରେ ଅଟକ ଲଗାନ୍ତି
କଳାଚାନ୍ଦ ଗୁଞ୍ଜମାଳିଆ । ୨ ।

ଇନ୍ଦ୍ର ବିବାଦରେ ମନ୍ଦର ଧରି
ଗୋପେ ରକ୍ଷା କଲ ଗୋପ ଗୁଆଳି
କାଳିନ୍ଦୀରେ ପଶି କାଳୀକି ଦଳିଲେ
ଯା କଲେ ଗୋରଜ ଧୂଳିଆ । ୩ ।

କେଉଁ କୁଞ୍ଜେ ଛନ୍ତି ଖୋଜିବା ଯାଇଁ
ସେ ପଦେ ଏ ଦ୍ୱିଜ କାର୍ତ୍ତିକ କହି
ଚାଲ ଯିବା ବନେ ଉଲ୍ଲସିତ ମନେ
ଗଳେ ରୁଞ୍ଜଗୁଞ୍ଜମାଳିଆ । ୪ ।