Kaha Bhabe Majji Aji

କାହା ଭାବେ ମଜ୍ଜି ଆଜି
(Madanamohana Deba)
(ମଦନମୋହନ ସିଂହ ଦେବ)

କାହା ଭାବେ ମଜ୍ଜି ଆଜି ହସୁଛୁ ଗୋ ଏତେ
ତୋ ହୃଦ କୁମୁଦବନ୍ଧୁଙ୍କୁ ଦେଖିଲୁ କି ସତେ । ଘୋଷା ।

ପୁଲକିତ ମନେ ଉପବନେ ଚାହୁଁ
ଗୁଣୁଗୁଣୁ ସ୍ୱରେ କି ସଙ୍ଗୀତ ଗାଉ
ଗୁନ୍ଥିଛୁ କୁସୁମମାଳା ଅନୁରାଗ ଚିତ୍ତେ । ୧ ।

ଛନ୍ନଛନ୍ନ ଆଜି ହେଉଛି ତୋ ମନ
ଲୁଚାଇ ରଖିଛୁ କି କର୍ପୂର ଚନ୍ଦନ
ସୁନ୍ଦର ମୁଖ ମୁକୁରେ ଦେଖୁଛୁ ନିରତେ । ୨ ।

ଅଭିମାନେ କଥା ନ କହୁ କାହିଁକି
ଆମ୍ଭେମାନେ ସାଜି ଦିଅନ୍ତୁ ନାହିଁକି
ତୋ ମନ ଭାବ ମୁଁ ସଖୀ ଜାଣଇ କିଞ୍ଚିତେ । ୩ ।

ମନ ଚୋର ପାଇଁ ପାଶୋରି ଦେବୁ କି
ଦିନେ ହେଲେ ମନେ ପଡ଼ିବ ନାହିଁକି
ଯିବା ବେଳେ ଅଭିସାରେ ବୃନ୍ଦାବନ ପଥେ । ୪ ।

ସାଧୁ ସଙ୍ଗେ ଧରାକୋଟ ନୃପବର
ଦେଖିବା ପାଇଁକି କିଶୋରୀ କିଶୋର
କୁଞ୍ଜଦ୍ୱାରେ ଉଭା ହୋଇ ଚାହିଁଛି ଚକିତେ । ୫ ।