Narama Hoile Garama Hoibu

ନରମ ହୋଇଲେ ଗରମ ହୋଇବୁ
(Mohana Gosein)
(ମୋହନ ଗୋସେଇଁ)

ନରମ ହୋଇଲେ ଗରମ ହୋଇବୁ
ଶରମେ ଭରମି ଯିବୁ ନାହିଁ
ପରମ ଆଦରେ ପରଶିଲେ ତୋତେ
ପରସନ୍ନେ ପରଶିବୁ ନାହିଁ । ଘୋଷା ।

ମନ୍ଦରଧର ମନ୍ଦ ମଧୁରେ ତୋ
ମଧୁରାଧରେ ଦେଲେ ଚାହିଁ
ତରକି ରହିବୁ ତାର ତୋର ଦିନେ
ଯେପରିକି ଦେଖା ହୋଇ ନାହିଁ । ୧ ।

ବରଜଧୂଳିଆ ନୀରଜମାଳିଆ
ସୁନ୍ଦର ତୋ କାଳିଆ କହ୍ନାଇ
ହୁନ୍ଦର ଲଗାଇ ମୁରଲୀ ବାଇଲେ
ଶ୍ରବଣେ ଶୁଣି ଚମକିବୁ ନାହିଁ । ୨ ।

ତରତର ହୋଇ ତରଳାକ୍ଷୀ ମୋର
ଯମୁନା ତଟକୁ ନ ଯିବୁ ଧାଇଁ
ପ୍ରଭାତ କୁସୁମେ ଗୁନ୍ଥି ପ୍ରୀତିମାଳା
ଅନୁରାଗେ ଯାଚି ଦେବୁ ନାହିଁ । ୩ ।

କର କରୁଣା ବୋଲି କାତରେ କହିଲେ
ସେ କର ଯୋଡ଼ି ଜଣାଇବୁ ନାହିଁ
ତୋ ବିରହେ ଅଶ୍ରୁ ବହିଲେ ନୟନୁ
ସଜନୀ ତରଳି ଯିବୁ ନାହିଁ । ୪ ।

ଅତି ଅଧୀରେ ଫେରିଗଲେ ପରାଣ
-ବନ୍ଧୁ ନ ଚାହିଁଲା ପରି ଦେବୁ ଚାହିଁ
ଆଦରେ କହିବୁ ଅଛିଟି କୁଶଳେ
ଆଦରିଣୀ ତବ ଚନ୍ଦ୍ରାସ୍ନେହୀ । ୫ ।

କିଏ ସେ ଜାଣିମ ଅପ୍ରାକୃତ ପ୍ରେମ
ରସ ସାଗରେ ଯେ ବୁଡ଼ି ନାହିଁ
ଶ୍ରୀଗୁରୁ ଆଶ୍ରୟ ହେଲେ ହେବ ଲୟ
ଦୀନ ହୀନ ଏ ମୋହନ କହି । ୬ ।