Ahe Chaka Akhi Tumaku

ଆହେ ଚକା ଆଖି ତୁମକୁ
(Banikantha)
(ବାଣୀକଣ୍ଠ)

ଆହେ ଚକା ଆଖି ଆହେ ଚକା ଆଖି
ତୁମକୁ ଯେ ଥରେ ଦିଏ ଦେଖି
ତା ହୃଦ ପଟରେ ରୁହ ଲାଖି । ଘୋଷା ।

ମଙ୍ଗଳ ଆଳତି ବେଶ ଦେଖି
ପଲକ ନ ପଡ଼େ ମୋର ଆଖି
ଯେତେ ଦେଖୁଥିଲେ ନୂଆ ଦିଶୁଥାଅ
ସେ ରୂପରେ ଆଖି ରହେ ଲାଖି । ୧ ।

ବଳିୟାର ଦୁଇ ଭୁଜ ଦେଖି
ମନେ ମନେ ହୁଏ ମୁହିଁ ସୁଖୀ
କେତେ ପାପୀ ତାପୀ ତାରୁଅଛ ବସି
ହସି ହସି ଦୁଇ ବାହୁ ଟେକି । ୨ ।

ଚନ୍ଦନ ବୋଳା ସେ ମୁଖ ଦେଖି
ଲାଖି ରହେ ପ୍ରଭୁ ମୋର ଆଖି
ସବୁ ଦୁଃଖ ଶୋକ ଭୁଲିଯାଏ ମୁହିଁ
କଳା ଶ୍ରୀମୁଖର ହସ ଦେଖି । ୩ ।

ଚକାଡୋଳା ଭକ୍ତ ଭାବେ ଭୋଳା
ଏ ଭବସାଗରେ ତୁମେ ଭେଳା
ତୁମ ନାମ ଧରି ହୋଇଯିବି ପାରି
ତୁମ ଶ୍ରୀଚରଣେ ଶିର ରଖି । ୪ ।