(ବାଣୀକଣ୍ଠ)
ମହାପ୍ରଭୁ କିମ୍ପା ନ ଶୁଣ ଡାକ
ଶୁଣୁଥିଲେ ଡାକ ନ ଥାନ୍ତା ଦୁଃଖ । ଘୋଷା ।
ଗଜ ଡାକ ଦେଲା ଘୋର ଜଳରେ
ପାଞ୍ଚାଳୀ ଡାକିଲା କୁରୁ ସଭାରେ
ହରିଣୀ ଡାକିଲା ଘୋର ବନରେ
ପ୍ରଭୁ ଶୁଣି ସେ ଡାକ
ନିମିଷକେ ହରି ନେଲ ତା ଦୁଃଖ । ୧ ।
ଅଜାମିଳ ଡାକ ଦେଲା ପୁଅରେ
ନାରାୟଣ ବୋଲି ଆସି ପାଖରେ
ମରଣ ହୋଇଲା ଡାକି ତାହାରେ
ପ୍ରଭୁ ଶୁଣି ସେ ଡାକ
ନିମିଷକେ ହରି ନେଲ ତା ଦୁଃଖ । ୨ ।
ଦ୍ୱାରକାରେ ରହି କମଳା ପୁରେ
ସୁଦାମାର ଖୁଦ ଖାଇଲ ଥରେ
କି ନାମ ଧରି ସେ ଡାକିଲା ତୋରେ
ପ୍ରଭୁ ଶୁଣି ସେ ଡାକ
ନିମିଷକେ ହରି ନେଲ ତା ଦୁଃଖ । ୩ ।
ସାଲବେଗ ଡାକେ ବୃନ୍ଦାବନରେ
ଶ୍ରୀରଙ୍ଗାଚରଣ ଦେଖିବ ଥରେ
ନନ୍ଦିଘୋଷେ ରହିଥିବ ବାଗରେ
ପ୍ରଭୁ ଶୁଣି ସେ ଡାକ
ନିମିଷକେ ହରି ନେଲ ତା ଦୁଃଖ । ୪ ।
ବଳରାମ ଦାସ ଅଭିମାନରେ
ରଥ କଲା ଯାଇ ଦରିଆ ପାରେ
ନ ଚଳିଲା ରଥ ବଡ଼ଦାଣ୍ଡରେ
ପ୍ରଭୁ ଶୁଣି ସେ ଡାକ
ନିମିଷକେ ହରି ନେଲ ତା ଦୁଃଖ । ୫ ।
ଦୂରୁ ଡାକ ଦେଲେ ଯେ ଯେତେ ଜନେ
ସେ ଡାକ ଶୁଭିଲା କିପରି କର୍ଣ୍ଣେ
ଦିନ ରାତି ମୁହିଁ ଡାକିଲା ପାଖରେ
ଥରେ ଶୁଣିଲେ ଡାକ
ରହନ୍ତା ନାହିଁ ହେ ମୋହର ଦୁଃଖ । ୬ ।