(ଗୋପାଳକୃଷ୍ଣ— ଖେମଟା)
ଶ୍ୟାମ ଅପବାଦ ମୋତେ ଲାଗିଥାଉ ରେ ପ୍ରାଣସହି
ନିତି ସେହି ଚିନ୍ତାରେ ମୋ ଦିନ ଯାଉ ଗୋ । ଘୋଷା ।
ଚାହିଁଦେଲେ ଥରେ ସେ ଶ୍ରୀମୁଖ
କୋଟିଏ କୋଟି ଜନ୍ମର ଦୁଃଖ
ଲିଭିଯାଉଛିରେ ପରାଣ ମିତଣୀ
ଯେ ଯେତେ ବୋଲିବ ବୋଲୁଥାଉ । ୧ ।
ବିନୟ ବାରାଧି ମୃଦୁବାଣୀ
ଶ୍ରୁତିପଥରେ ଯେ ଥିବ ଶୁଣି
ପୀୟୂଷାଶନ ଜନଙ୍କୁ ଧନ୍ୟ ବୋଲି
ବୋଲିବ କି ତା ମୁଖରେ ଆଉ । ୨ ।
ବାଡ଼ଭିତ୍ତିକି ବୋଇଲା ପରି
ବୋଲୁଥିଲେ ହେଲେ ବ୍ରଜନାରୀ
ଶୁଣି ନ ଶୁଣିଲା ପରି ମୁଁ ଯାଉଛି
ଆଡ଼ ଉହାଡ଼ରେ ଶବଦାଉ । ୩ ।
ଗୋପାଳକୃଷ୍ଣ ବୋଲଇ ଧୀରେ
ବାଚାଳୀ କୁଟିଳା ଚାପଲ୍ୟରେ
ବରଜ ନଗରଯାକ ସ୍ଫୁଟ ହେଲା
ସଦାବେଳେ ହେଉ ରାଉରାଉ । ୪ ।