(ବିଶ୍ୱମ୍ଭର ରାଜେନ୍ଦ୍ର ଦେବ)
ଆଗୋ କୁନ୍ଦ ଲଳିତେ ମଲା ଉତ୍ତାରୁ ମତେ
ଲାଟସାର କରୁଛ କାହିଁକି ଗୋ । ଘୋଷା ।
ଆଉ କି ଲୋଡ଼ା ବୋଲି ମନୁ ବରଜି ଦେଲି
ଚନ୍ଦନ ଫୁଲ ପାନ ଚାହିଁକି ଗୋ
କରିଅଛ ଜୀବିକା ନିଶି ଦିବସେ ଏକା
ଖାଲି ଧୂଳିଧୂସର ମହୀକି ଗୋ । ୧ ।
ନ ଦେଖୁ ବୋଲି ଆଖି ଭାଙ୍ଗି ତମାଳ କେକୀ
ମଞ୍ଜୁଳ ନୀଳ ଘନଛାଇକି
ଲେସାଇ ଦେଲି ପରା ତୁମ୍ଭ ହାତେ ଏ ହୀରା
କଞ୍ଜପଞ୍ଜର ମନେ ନାହିଁକି ଗୋ । ୨ ।
ବୋଲୁଛ ଯେ ସକଳେ ଚାରୁ କୁଚମଣ୍ଡଳେ
ମଣ୍ଡନ କର କଳା ଅହିକି
ପାତର ହେବି ସିନା ବ୍ରଜପୁର ଲଳନା
ଜାତିର ଉଡ଼ାହସା ଟାହିକି ଗୋ । ୩ ।
ଏ ଗିର ସର୍ବେ ଶୁଣି ଭାଷିଲେ ବୋଧ ବାଣୀ
ସାରା ମଣ୍ଡଳ ଗୁଣଗ୍ରାହୀକି ଗୋ
ଭଜେ କିଶୋରଚନ୍ଦ୍ର ଛଦ୍ମ ନାଗରୀ ପଦ୍ମ
ପଦକୁ କର ବୋଲି ତ୍ରାହିକି ଗୋ । ୪ ।