Kahinki Dekhili Swapane

କାହିଁକି ଦେଖିଲି ସ୍ୱପନେ
(Biswambhara Rajendra Deba)
(ବିଶ୍ୱମ୍ଭର ରାଜେନ୍ଦ୍ର ଦେବ)

କାହିଁକି ଦେଖିଲି ସ୍ୱପନେ ଗୋ ସହିମାନେ
କାମିନୀ କୁଳକାମଙ୍କୁ କଦମ୍ବ କୁଞ୍ଜ ସଦନେ । ଘୋଷା ।

ଜାଣିଛ ସବୁ ସୁମନା କିପରି ମୁଁ ରଙ୍କମନା
ଅତର ଚନ୍ଦନ ପାନ ଫୁଲେ
ତାଙ୍କ ପଟକୁ ନିପଟ ଅନାଉଁ ନାହିଁ ମୁଁ ଦିନେ । ୧ ।

ନଟବର ପଟସାର ଇନ୍ଦ୍ରନୀଳ ଅଳଙ୍କାର
ପାଣିକି ଫିଙ୍ଗାଇ ଦେଲି ପରା
ବରଜି ହଂସୁଲି ତୁଳି ଗଡ଼ୁଛି ଧୂଳି ଶୟନେ । ୨ ।

ଆହା ସେ ଶ୍ରୀଅଙ୍ଗ ରୁଚି କାହିଁ ଯାଇଅଛି ଲୁଚି
ନିନ୍ଦେ ବାସି ଇନ୍ଦୀବର ଶୋଭା
ଭରତି ହୋଇଛି ଲୁହ ମଞ୍ଜୁଳ କଞ୍ଜ ନୟନେ । ୩ ।

ଖଣ୍ଡେ ଦୂରୁଁ ମୋତେ ଦେଖି ଆରେ ଖେଳ ଖଞ୍ଜନାକ୍ଷି
ବନ୍ଧୁ ମୋର ଦୁଃଖ ଦେଖ ଦେଖ
ଚରଣ ଧରି ପଡ଼ିଲେ ଶରଣ ନାହିଁ ମୋ ଆନେ । ୪ ।

ସେ ସରିକି ହେଲେ ମଥା ଟେକି କହି ନାହିଁ କଥା
ଏ ସମୟେ ଭାଙ୍ଗିଗଲା ନିଦ
କହ କହ ଏ ପ୍ରସଙ୍ଗ କିଛି ତ ନାହିଁ ମୋ ମନେ । ୫ ।

ଏ ଗିର ସକଳେ ଶୁଣି ଭାଷିଲେ ବିକଳ ବାଣୀ
ଯୁବ ଶ୍ରୀ କିଶୋରଚନ୍ଦ୍ର ବୋଲେ
ସରିଗଲେ ନିତି ଶ୍ୟାମ କିଶୋରୀ ନାମ ଭଜନେ । ୬ ।