(କବିସୂର୍ଯ୍ୟ— ରାଗ ଦେଶାକ୍ଷ, ତାଳ ଯତି)
ଟିକାକ ଦୋଷକୁ ରାମା କେଡ଼େ ରୁଷା ରୁଷିଲାରେ । ଘୋଷା ।
ଟୋପରେ ପକାଇ ଗୋପେ ନିଗ୍ରହ ଶଲ୍ୟ ବିଶେଷେ
ମୋ ସୁଖମୃଗକୁ ତ ସେ ଧରାଭୂଷା ଭୁଷିଲାରେ । ୧ ।
ଟାକର ମାରି ମୋ ଆଶା ମୁଣ୍ଡେ ଖଞ୍ଜରୀଟ ଦୃଶା
ପରିପନ୍ଥୀ ଲୋକହସା କରିବାକୁ ବସିଲାରେ । ୨ ।
ଟିକିଏ ହେଲେ ବିବେକ ନ କରି ସେବକ ବେକ
କରତ ବୋଲି ଦର୍ପକ ଦାରୁଣକୁ ପେଷିଲାରେ । ୩ ।
ଟମକ ଯେ ବାଜେ ବ୍ରଜବଜାରେ ଦୟାଳୁରାଜ
ବୋଲି ମୋ ଦଣ୍ଡରୁ ଆଜ ଦାଣ୍ଡକୁ କି ଦିଶିଲାରେ । ୪ ।
ଟୋକୀଏ ଥିଲେ ଗହଣେ ଟାକି ଉରୋଜ ଅଗ୍ରଣେ
ଟିପିଦେଲି ନଖ ସେହି କଥାକୁ କି ଘୋଷିଲାରେ । ୫ ।
ଟେକାନ୍ତା ବିବେକବତୀ ମଣ୍ଡଳେ ବଳକ୍ଷଛତି
ବୋଲେ କବିରବି ସବୁ କ୍ରୋଧନଦେ ଭାସିଲାରେ । ୬ ।