(କବିସୂର୍ଯ୍ୟ— ରାଗ ମୁଖାରୀ, ତାଳ ଏକତାଳି)
ଛଇଳା ମୋରେ ଛାଉଲି ଛାଡ଼
ଛଦ୍ମ ନୀରେ ନିରନ୍ତରେ ନ ବୁଡ଼ । ଘୋଷା ।
ଛାମୁରେ ଥିବା ସହଚରୀଗଣେ
ଛାଇ ତୁ ପରା ମୋ ଅନୁସରଣେ । ୧ ।
ଛଣା ପୀୟୂଷ ପରି କହି ଆଣି
ଛପାଇ ଦେଉଛୁ କାହିଁକି ପୁଣି । ୨ ।
ଛାପ ଦେଇ ଲଘୁ ନ କର ହେଳେ
ଛତି ଟେକାଇ ଦେ ତରୁଣୀ କୁଳେ । ୩ ।
ଛିଦ୍ରଭେଦ ଘେନିବାକୁ ମୋହର
ଛକେ ଛକେ ଜଗିଅଛନ୍ତି ଚର । ୪ ।
ଛୁଇଁ ଦେଇ ନୀଳ ଛବି ବାସନା
ଛଟପଟ ହୋଇ ମରିବ ସିନା । ୫ ।
ଛାତି ଭିତରୁ ଧୃତି ଗଲା ସରି
ଛଳ ଛାଡ଼ି କୋଳ କଲେ କିଶୋରୀ । ୬ ।
ଛୁଟିଲା ଶଙ୍କା ସଖୀ ହୃଦୟରୁ
ଛ ଏକ ପଦେ କହେ ରାୟଗୁରୁ । ୭ ।