(କବିସୂର୍ଯ୍ୟ— ରାଗ ସୋମ)
କ୍ଷୀଣ ମଧ୍ୟମା ରେ କ୍ଷଣେ ନୋହିବାଟି ଭିନ୍ନ
କ୍ଷେମତନ୍ତୁ ପରି ହରିବା ଏ ଯଉବନ । ଘୋଷା ।
କ୍ଷୋମରୂପିଣୀ ଚନ୍ଦ୍ରଚାରିମଚୌର୍ଯ୍ୟ ଧୂର୍ଯ୍ୟତରାନନେ
କ୍ଷୁର୍ଣ୍ଣ ବାସବ ନୀଳ ଚାମର ଚୂର୍ଣ୍ଣକୁନ୍ତଳ ଶୋଭନେ
କ୍ଷୌଣୀଭୃଦ୍ବର ପୀବର ସ୍ତନମଣ୍ଡନେ ଯମୁନାବନେ
କ୍ଷପାକର କରେ ଖେଳୁଥିବା ଆଲିଙ୍ଗନେ । ୧ ।
କ୍ଷୌଦ୍ରସାର ସମାନଭାଷୀ ସୁକୁନ୍ଦ ସୁନ୍ଦରହାସୀରେ
କ୍ଷ୍ୱେଡ଼ଭୂଷିତକଣ୍ଠ ପାଦସରୋଜ ସେବନୁ କାଶୀରେ
କ୍ଷୀବକୁଞ୍ଜରଗାମିନୀ ମୁଁ ଲଲାମ ଖୋସିଲି ତୋ ଶିରେ
କ୍ଷାଳିତ ହୋଇ ତା ପ୍ରେମ ପୀୟୂଷ ରାଶିରେ । ୨ ।
କ୍ଷୀରନୀର ସୁଧାଂଶୁ କୈରବ ବାରି ମୀନ ବରାବରେ
କ୍ଷେପିବା ପ୍ରତି ରାତି ବାସର କାମକେଳି ଦରୋଦରେ
କ୍ଷୁଦ୍ରଘଣ୍ଟ ସମୂହ ନୂପୁର ହଂସକାଦି ନିନାଦରେ
କ୍ଷମେ ପୁଆଇବା ମାର ତାପକୁ ମୋଦରେ । ୩ ।
କ୍ଷୁବ୍ଧ ଦୁଗ୍ଧ ସମୁଦ୍ରବୀଚି ବିକୀର୍ଣ୍ଣବିନ୍ଦୁ ଶୁଚିସ୍ମିତେ
କ୍ଷମ କୋମଳ ହେମଚମ୍ପକ ଗୌରବିଗ୍ରହମଣ୍ଡିତେ
କ୍ଷୋଦ ହିଙ୍ଗୁଳଲାଲ ଦନ୍ତ ଦୁକୂଳଶୋଭିନି ପଣ୍ଡିତେ
କ୍ଷିତିସୁର କବିକଞ୍ଜବାନ୍ଧବ ବନ୍ଦିତେ । ୪ ।