(କବିସୂର୍ଯ୍ୟ— ରାଗ ବରାଡ଼ି)
ଯଦୁମଣି ଯିବେ ପୁଣି ଯାମିନୀ ନ ସରେ
ଆଉ ନାହିଁ ନାଡ଼ି । ଘୋଷା ।
ଯନ୍ତର କି ଜାଣୁ ଯେବେ ଯେମନ୍ତେ ହୋଇଲେ ଜବେ
ଯାତ୍ରା ଅନୁକୂଳ ମୂଳ ଦେ ଉପାଡ଼ି । ୧ ।
ଯୁଗ୍ମ ନୋହିଥିଲେ କ୍ଷଣେ ଯୁଗୁଁ ମୁଁ ଅଧିକ ମଣେ
ଯୁବଚନ୍ଦ୍ର ତ ଆମ୍ଭର ଲାଗିଶାଢ଼ୀ । ୨ ।
ଯମରୁ ଦାରୁଣ ମାର ଯୁବନ ଶର ପ୍ରହାର
ଯାତନାକୁ କେ ଆମ୍ଭର ଦେବ ଆଡ଼ି । ୩ ।
ଯୁବତୀ ନେତ୍ର ଅଞ୍ଜନ ଯାମଳତରୁ ଭଞ୍ଜନ
ଯେବେ ଯିବେ ନୋହିବେଟି କେ ଅଗାଡ଼ି । ୪ ।
ଯତ୍ନେ କବିରବି ବୋଲେ ଯୋଗ ଥିଲା ଏ କି ଭାଲେ
ଯାବନ୍ତ ତେଜିବା ତହିଁ କର ତାଡ଼ି । ୫ ।