Aja Thare Hebu Mo Pari

ଆଜ ଥରେ ହେବୁ ମୋ ପରି
(Kabisurjya— Raga Kanadagouda, Tala Athatali)
(କବିସୂର୍ଯ୍ୟ— ରାଗ କାନଡ଼ଗୌଡ଼ା, ତାଳ ଆଠତାଳି)

ବର ନାଗରୀ ଆଜ ଥରେ ହେବୁ ମୋ ପରି ରେ । ଘୋଷା ।

ଦୀପ ଥିଲେ କି ପରୁଆ ରେ ପ୍ରାଣବନ୍ଧୁଆ
ଘେନ ତୁ ମୁଁ ତୋର କି ପରୁଆ ରେ । ୧ ।

ବିବସନ ବେଶୁଁ କି ଲାଜ ରେ ରସିକା ରାଜ
ଦିବସ କାଳ ତ ନୁହେଁ ଆଜ ରେ । ୨ ।

ରଟୁ କଳାପ କିଙ୍କିଣୀ ରେ ତରୁଣୀମଣି
କେ ଆସି ପାରେ କି ତାହା ଶୁଣି ରେ । ୩ ।

ବୁଜିଥିବି ମୁଁ ମୋ ଆଖି ରେ ବଣା ମୃଗାକ୍ଷୀ
ଚାହିଁଲେ ମୋ ଅଙ୍ଗେ ଯିବୁ ଲାଖି ରେ । ୪ ।

ଦେଖାଇବି ଦରପଣ ରେ ତୁ ରଣରଣ
ରଣେ କର ବାହାଦୁରପଣ ରେ । ୫ ।

ଶ୍ୟାମ ଗିରେ ବାଳା ରସେ କ୍ରୀଡ଼ା ବିଳାସେ
ବସୁଦୁର୍ଗ ପୁରନ୍ଦର ଭାଷା ରେ । ୬ ।