(କବିସୂର୍ଯ୍ୟ— ରାଗ ବରାଡ଼ି, ତାଳ ଆଦିତାଳ)
ନାହିଁ କରି ନାହିଁ ତ ମୁଁ କାହିଁକି ଗୋ ରାଣ । ଘୋଷା ।
ତାଙ୍କ ସୁଖ ପାଇଁ ସିନା ଶଙ୍କରଙ୍କ ଉପାସନା
ଏ ଦେହ ଏ ଭୋଗ ଏ ପରାଣ । ୧ ।
ଶ୍ୟାମ ମୋର ଉନ୍ମାଦକ ଶ୍ୟାମ ମୋ ଗଳା ପଦକ
ଶ୍ୟାମ ତ ମୋ ହୃଦ ପଞ୍ଚବାଣ । ୨ ।
ବ୍ରଜବନ୍ଧୁ ମୋ ରତନ ମୋ ସେବାର ବରତନ
ସେହି ତ ମୋ ବରତ ବସାଣ । ୩ ।
ମନ ଜାଣି ଅଛି ଭଜି ଜାଣି ଜାଣି ମୋ ମରଜି
ଧନ ମୋର କେଡ଼େ ଅବୁଝାଣ । ୪ ।
ଦୁଃଖ ଥିବ ପରା ମନେ ତାଙ୍କ ପଦକଞ୍ଜ ସ୍ତନେ
ଲଗାଇ ଚୁମ୍ବାଇଦିଅ ଆଣ । ୫ ।
ନୃପ ଜଗଦ୍ଦେବ ଭାଷେ ମୋ ବେଶ ସେ ମୋ ଶୋଭା ସେ
ତାହା ବାହାରେ କେ ପରିତ୍ରାଣ । ୬ ।