Durare Raha He Jara

ଦୂରରେ ରହ ହେ ଜାର
(Raghunatha— Raga Asabari, Tala Adatali)
(ରଘୁନାଥ— ରାଗ ଆଶାବରୀ, ତାଳ ଆଡ଼ତାଳି)

ଦୂରରେ ରହ ହେ ଜାର କିଶୋର
ନ ଛୁଅଁ ଶ୍ରୀଅଙ୍ଗ ରାଜସୁତାର । ୧ ।
ସ୍ମର ତରଙ୍ଗିଣୀ ଭାବରେ ମଜ୍ଜି
ମୋ ମନ କଳ୍ମଷ ଦେବି ମୁଁ ତେଜି । ୨ ।
ଯାଅ ହେ ଚନ୍ଦ୍ରାବଳୀ କେଳିକୁରଙ୍ଗ
ତୁମ୍ଭକୁ ମିଳିବ କି ଶ୍ରୀ ରାଧା ସଙ୍ଗ । ୩ ।
ରାଧା ଶ୍ରୀମୁଖ ସୁଧାନିଧି ଲୋଭରେ
କୁରଙ୍ଗ ହୋଇଛି ମୁଁ ଜାଣ ଭାବରେ । ୪ ।
ପରବଧୂକୁ ଏବେ ଛୁଇଁବ ଯେବେ
ରାଜା କରରେ ଦଣ୍ଡ ଲଭିବ ତେବେ । ୫ ।
ବାହୁପାଶରେ ବାନ୍ଧି ନଖ ରଦ ଘାତେ
ଦଣ୍ଡ ଦେବାକୁ ଥିଲେ ଦଣ୍ଡ ଦିଆ ତ ମୋତେ । ୬ ।
ଏପରି କଉତୁକେ କେଳିକି ବିହି
ଅଶୋକ କୁଞ୍ଜରେ ସଙ୍କେତ ଦେଇ । ୭ ।
ଯେ ଯାହା ମନ୍ଦିରେ ପ୍ରବେଶ ହେଲେ
ଏ ଭାବ ଚିନ୍ତି ଦ୍ୱିଜ ରଘୁନାଥ ବୋଲେ । ୮ ।