(ରଘୁନାଥ— ରାଗ ସୁରଠ, ତାଳ ଯତି)
ଶୟନେ ସ୍ୱପନେ ଦିଶୁଛି ସେହି
ସତେ କି ରୂପ ଦେଖିଲି ସହି ଯମୁନା କୂଳକୁ ଯାଇ । ଘୋଷା ।
ଅକଥିତ ତା ଚରିତ ଅଲଙ୍ଘ୍ୟ ପତିବରତ
କରିପାରଇ ସେ ହତ ନେତ୍ରାନ୍ତ ନଚାଇ
ଆହୁରି ଅନ୍ୟାୟ ରୀତି କରଇ ସେ ନିତି ନିତି
ମନ ଧନ ଯତନରେ ଥିଲେହେଁ ଲୁଚାଇ । ୧ ।
ଚାହିଁଲେ ଆନ ନ ଦିଶେ ଦିଶେ ତା ବହନ ଦିଶେ
ନୟନ ବୁଜିଲେ ଅନ୍ତରେ ପ୍ରକାଶୁଛି
କା ଆଗେ କହିବି ମିତ କେ ଏହା କରିବ ସତ
ବାହାରେ ଭିଡ଼ିବାକୁ ସେ ବାହାରେ ଆସୁଛି । ୨ ।
ଯିବି ମୁହିଁ ଯେଣେ ଯେଣେ ଦିଶୁଛି ସେ ତେଣେ ତେଣେ
ଆଗେ ଆଗେ ରହି ରହି ପଥ ଓଗାଳୁଛି
କି ଗୋ ମା ଏ କି ବଷମ କରିବା ଗୋ କି କରମ
ତା ଆଚରଣେ ଚରଣ ପଦେ ନ ଚଳୁଛି । ୩ ।
ଯେତେକେ ହେଲେ ନିବର୍ତ୍ତି ରହିବି ବୋଇଲେ ଦୂତୀ
ପୁନରପି ଦେଖିବାକୁ ନେତ୍ର ତ ଝୁରୁଛି
ରାଧା ଦୂତୀ ହେବା ବାଣୀ ଶୁଣି ରଘୁନାଥ ଭଣି
ରାଧିକେ ଏଥୁ ଅଧିକେ ତତେ ସେ ଝୁରୁଛି । ୪ ।