Asibe Mote Tosibe Sate

ଆସିବେ ମତେ ତୋଷିବେ ସତେ
(Raghunatha— Raga Ahari, Tala Adatali)
(ରଘୁନାଥ— ରାଗ ଆହାରୀ, ତାଳ ଆଡ଼ତାଳି)

ଆସିବେ ମତେ ତୋଷିବେ ସତେ କି କାନ୍ତ । ଘୋଷା ।

ନିଶି ରସି ମୋଦେ ମିଶି ମୋର ହୃଦେ
ହସି ହସି ପଦେ ଭାଷିବେ ସାନନ୍ଦେ । ୧ ।

କାମ ଫୁଲଶରେ ବାମ ହୋଇ ମୋରେ
ଯାମ ଯାମକରେ ଝାମ ଦେଉଛି ବାରେ । ୨ ।

ଏ ମଧୁକାଳରେ ପ୍ରେମରେ ଭୋଳରେ
ମୋହନ ମୋହିବାରେ ଶ୍ୟାମବନ୍ଧୁ ଥରେ । ୩ ।

ଭାବି ରଘୁନାଥ କବି ନିଶାନାଥ
ଏ ବିଧି ରଚିତ ଅବିଳମ୍ବେ ସେ ତ । ୪ ।