(ରଘୁନାଥ— ରାଗ ମୁଖାରୀ, ତାଳ ଆଡ଼ତାଳି)
କେତେ କହିଥିଲେ ମା ଏତେ ସରି କରିଦେଲେ ମା
ସତେ ସେ ଆସିବେ ବୋଲି ଚିତ୍ତେ ତୋଷ ହୋଇଥିଲି
ହିତେ ତାଙ୍କୁ ଗଣିଥିଲି ପ୍ରତେ କରି ମୁଁ ଭାଷିଲି । ୧ ।
ଦୂରେକଲେ ମା ସେ ରସିକ ପାଶୋରିଲେ ମା
ବାରୁଁ ବାର ଫୁଲଶର ଶର କରଇ ପ୍ରହାର
ଭାର ଦେଲାନି ସୁଚିର ମୋର କି ଗତି ଏଥର । ୨ ।
ଆଶା ଚାହିଁ ମା ନିଶାଯାକ ଥିଲା ରହି ମା
କଷା ନ କରି ନୟନ ଆଶା କରି ହେଲି ହୀନ
ହସାଇ ବଇରୀ ଜନ ଭସାଇଲେ ଶ୍ୟାମଘନ । ୩ ।
ସବିକଳରେ ଭାବି ରାଧା କହୁଁ ଦୂତୀରେ
କବିଚନ୍ଦ୍ର ରଘୁନାଥ ଅବିଳମ୍ବେ କହେ ସତ
ସେ ବିଜୟ କରିବେ ତ ଏ ବିଚ୍ଛେଦ ଯିବେ ମିତ । ୪ ।