Jiba Sangini Mote Tu Budailu Re

ଜୀବ ସଙ୍ଗିନୀ ମତେ ତୁ ବୁଡ଼ାଇଲୁ ରେ
(Raghunatha— Raga Sindhuda, Tala Ekatali)
(ରଘୁନାଥ— ରାଗ ସିନ୍ଧୁଡ଼ା, ତାଳ ଏକତାଳି)

ଜୀବ ସଙ୍ଗିନୀ ମତେ ତୁ ବୁଡ଼ାଇଲୁ ରେ
କୁଳଶୀଳ ଧରମ ଛଡ଼ାଇଲୁ ରେ । ଘୋଷା ।

ସେ ମୋହନର ପ୍ରସଙ୍ଗ ଶୁଣାଇ ମୋହର ଅଙ୍ଗ
ଦିନୁ ଦିନୁ ଚିନ୍ତାରେ ସଡ଼ାଇଲୁ ରେ । ୧ ।

ତା ନଟ କୂଟରେ ପଡ଼ି ଅନୁବରତରେ ଅଡ଼ି
ତା ଠାରେ ମୋ ସରାଗ ବଢ଼ାଇଲୁ ରେ । ୨ ।

ଜାଣୁ ଅବା କି ମନ୍ତର ମତେ ତୁ କରି ଯନ୍ତର
ସେ ପ୍ରୀତିରେ ମୋ ମତି ଜଡ଼ାଇଲୁ ରେ । ୩ ।

ଦ୍ୱିଜ ରଘୁନାଥ କହି ତାର କଥା କହି କହି
ନିରନ୍ତରେ ପଛରେ ଗୋଡ଼ାଇଲୁ ରେ । ୪ ।