(ରଘୁନାଥ— ରାଗ ମାଳବ, ତାଳ ଆଡ଼ତାଳି)
ଏହିପରି ସେ କଲେ ରଜନୀ
ଏହା ସହିବି କି ମୁଁ ପ୍ରାଣସଜନୀ
କହିଥିଲି ସେ ଯେତେ ରହିଲା ନାହିଁ ସତେ
ବିହି କାହିଁ ରତିରସ ମୋହିଲେ ନାହିଁ ମୋତେ । ୧ ।
ଦେଖି ମଦନ ଏହି ରତିକି
ଶର ଯୋଖି ନିରତେ ମୋର ଛାତିକି
ଲେଖି ଲେଖି ବିନ୍ଧିବ ରଖି ସେ ତ ନ ଦେବ
ଅଖିଳ ସୁଖକୁ ଉପେକ୍ଷିବା ମତି ହେବ । ୨ ।
ଜଗାଇ ମୋତେ ସଙ୍କେତରେ
ଏବେ ଦଗା ଦେଲେ ମାତି ସେ ଇତରେ
ଅଗାରୁ ଅଣାଇ ଲଗାଇ ସ୍ନେହ ସହୀ
ଲଗାଲଗି କଥାରେ ଭଗାରି ହସାଇ । ୩ ।
କବିଚନ୍ଦ୍ର ରଘୁନାଥ ଏ ବାଣୀ
କହେ ଏ ବିରସ ରୀତିକି ଶୁଣି
ଅବିଳମ୍ବରେ ଏବେ ସେ ବିଜୟ କରିବେ
ନବୀନା ତୋ ସଙ୍ଗେ ସେ ବିଶେଷେ ରଖିବେ । ୪ ।