(ରଘୁନାଥ— ରାଗ ମାରୁଆ, ତାଳ ଯତି)
ଆଜ ବରଜ ଯୁବରାଜ କି କଲେ ମତେ
ମୋ ଜୀବସଖୀ ଚାହାଁରେ
ହାଜର ହେବ ବୋଲି ଓଜରେ ଜଗିଥିଲି
ତେଜ ହାନି ହୋଇ ଲାଜରେ ମୁଁ ସଢ଼ିଲି । ୧ ।
ସାଜିଥିଲି ଶେଯ ରାଜୀବମୁଖ ମନ
ରାଜିକି ସୁସ୍ନେହରେ ଗୋ
ତେଜିବାରୁ ସେ ମତେ ହେଜି କାମ ନିରତେ
ରାଜି ରାଜି ବିଶିଖ ଚଜି ମାରେ ଦେହରେ । ୨ ।
ରାସରସିକ ମୃଦୁଭାଷକୁ ଶୁଣି ପ୍ରତି
ଆଶ ମୋ ବଳିଥିଲା ଗୋ
ତୋଷରେ ମୁଁ ନିକୁଞ୍ଜ ବାସରେ ବସିଥିଲି
ବାସ ସୁମନ ଭୂଷା ବେଶ ବିଫଳ ହେଲା । ୩ ।
ଜାଳି ଆଜ ପ୍ରଦୀପ ବନମାଳୀ କଳାପ
ଭାଳିଥିଲି ମତିରେ ଗୋ
ଆଳି ଗୁନ୍ଥାକୁସୁମ ଥାଳି ମୁଁ ରଖିଥିଲି
ଜାଳିଦେଇ ସଖୀ କାମକୁ କାଳି ଦେଲେ ପ୍ରୀତିରେ । ୪ ।
ରାସରଙ୍ଗିନୀ ନିରାଶ ଭାଷ ଏପରି
ଭାଷନ୍ତେ ସହୀକି ଚାହିଁ
ଭାଷଇ ରଘୁନାଥ ରୋଷ ନ କର ଚିତ୍ତ
କେଶବଙ୍କୁ ଆଣିବି ପାଶକୁ ଦୁଃଖ କହି । ୫ ।