Sahi Go Aau Eniki

ସହି ଗୋ ଆଉ ଏଣିକି
(Raghunatha— Raga Gouda, Tala Ekatali)
(ରଘୁନାଥ— ରାଗ ଗୌଡ଼ା, ତାଳ ଏକତାଳି)

ସହି ଗୋ ଆଉ ଏଣିକି
କହିଲେ କେତେ ପରତେ ନାହିଁ ସେ ବେଣୁପାଣିକି । ଘୋଷା ।

ଶୟନ ଲବେ ନ ବିହି ଥୟରେ ଦଣ୍ଡେ ନ ରହି
ଅୟନକୁ ଚାହିଁ ଚାହିଁ ନୟନୁଁ ତେଜି ପାଣିକି । ୧ ।

ସଞ୍ଜବେଳୁ ବେଶ ସାଜି କୁଞ୍ଜରେ ଥିଲି ମୁଁ ଆଜି
କଞ୍ଜନେତ୍ର ତେଜି ରାଜି ଭଞ୍ଜନ କଲେ ଆଣିକି । ୨ ।

ଭରମେ ପଡ଼ିଲି ଯାହା କରମେ ଥିଲା କି ଏହା
ମରମେ ନାହିଁ ଉତ୍ସାହା ନରମେ ମନ କେଣିକି । ୩ ।

କବିଚନ୍ଦ୍ର ରଘୁନାଥ ଭାବି କହେ ତୋର ଚିତ୍ତ
ଥବିର କର ଗୋ ସତ ଯିବି ମୁଁ ଆଣି ତେଣିକି । ୪ ।