(ରଘୁନାଥ— ରାଗ ବିହାଗ, ତାଳ ଆଡ଼ତାଳି)
ଏହି ପରି ସ୍ନେହ କରି
ଥିଲେ ଦୁଃଖ କି ରହିବ ଗୋ । ଘୋଷା ।
ଜଗି ବସିଥିବ ଯାହା ପାଇଁ
ରଜନୀ ଗଲା ଉତ୍ତାରୁ ପାହି (ପାଇ)
ସେହି ଆସି ହସି ହସି
ଯେବେ ବଚନ କହିବ ଗୋ । ୧ ।
ଅନେକ ଯତ୍ନେ ଲୋଡ଼ାଇ ପୁଣି
ପକ୍ୱ ତାମ୍ବୂଳ କୁସୁମ ଆଣି
ରଖି ରଖି ଗଲେ ଶୁଖି
ତହିଁକି ସୁଖ ନୋହିବ ଗୋ । ୨ ।
ଆଉ ଜଣକର ସଖୀ ତୁଲେ
ଏକାନ୍ତରେ ବସି ଭାଳୁଥିଲେ
ଜାଣି ଜାଣି ଶୁଣି ଶୁଣି
ତାହା ଦେହ କି ସହିବ ଗୋ । ୩ ।
ରଘୁନାଥ କବି ନିଶାନାଥ
କହଇ ସକଳ ମନୋରଥ
ପୂର୍ଣ୍ଣ ହେବା ପାଇଁ ଦିବା
ନିଶି ପଥ କେ ଚାହିଁବ ଗୋ । ୪ ।