(ରଘୁନାଥ— ରାଗ ଆଶାବରୀ, ତାଳ ଆଡ଼ତାଳି)
ଏବେ ହେଲେ ମନ ମୋହନକୁ ଧନ
ଦୁଃଖରୁ ରଖ ଉଦ୍ଧରି ଧରି । ଘୋଷା ।
ନିକଟରେ ତୋର ଥିବା କାଳେ ସ୍ମର
ବାରଣକୁ ସେ କେଶରୀ ସରି
ଟାଣପଣେ ମାର ମାରିବାରେ ଶର
ରହିଲେ କୁଞ୍ଜବିହାରୀ ଦ୍ୱାରୀ । ୧ ।
ଯାହାକୁ ତ ଚାହିଁ ମୋହିତ ହେବେ ସେହି
ରମା ଆଦି ମଦନାରି ନାରୀ
ସେ ତୋର କଥାରେ ନ ଡେଇଁ ତ ଗାରେ
ରହିଛନ୍ତି ନଉକରୀ କରି । ୨ ।
କୁଞ୍ଚ ସଦନକୁ ସେ ଯିବା ବେଳକୁ
ଦେବାରୁ ତୋ ପରିବାରୀ ବରି
ଶୁଣ ତୁ ଏଣିକି ନ ଯାଇ କେଣିକି
ରହିବେ ସେହି ଆଦରି ଦରି । ୩ ।
ବୋଲୁଥିଲୁ କାଲି ତୁ ପରା ଛଇଳୀ
ଜୀବର ଜୀବ ମୋହରି ହରି
ଆଜ ଗଲେ ଫେରି ଆଣ ବୋଲିକରି
ପଡ଼ିବ ସିନା ଆହୁରି ହୁରି । ୪ ।
କହେ ରଘୁନାଥ କବି ନିଶାନାଥ
ମୁଁ କହିବାର ପଚାରି ଚାରି
ସଖୀ ସଙ୍ଗେ ବସି ଦୟା କର ହସି
ତୋ ଯଶ ରହୁ ଏ ପୁରୀ ପୂରି । ୫ ।