Darahasi Ebe Adara

ଦରହାସି ଏବେ ଆଦର
(Raghunatha— Raga Bhairabi, Tala Ekatali)
(ରଘୁନାଥ— ରାଗ ଭୈରବୀ, ତାଳ ଏକତାଳି)

ଦରହାସି ଏବେ ଆଦର ଦର ନାଶ ହୃଦର
ହର ଦୁଃଖ ମୋହର କର ଉଦ୍ଧାର
କାର ଛାର ଗିର ସାର ନ କର ଶର
ବାରବାର ମାର ମାରଇ ଉରେ ତାର । ୧ ।

ଯଶ ଶଶୀକି ତୁ ପ୍ରକାଶ ନାଶ ସ୍ମର ତମସ
ବସ କୋଳେ ନାରୀଶ ରସ ବରଷ
ଦାସ ଆଶ ତୁ ନ ନାଶ ସରସ ରସ
ଭାଷ ଭାଷ କାଶହାସ ବଶେ ତୋଷ । ୨ ।

ବିହି ରଘୁନାଥ କହଇ ଏହି ଭାଷେ ସୁଦେହୀ
ତହିଁ କି କର ସହୀ କହିଲି ମୁହିଁ
କାହିଁପାଇଁ ସହୀ ଚାହିଁ ବସିଛୁ ମହୀ
ନାହିଁ ନାହିଁ କେହି ତ୍ରାହି ବିହିବୁ ତୁହି । ୩ ।