(ରଘୁନାଥ— ରାଗ ଝିଞ୍ଜୋଟି, ତାଳ ଆଡ଼ତାଳି)
କହନା ସଜନୀ ରେ ଆଉ
ସହି ନ ପାରେ ଶ୍ୟାମ ପ୍ରେମ ଦାଉ । ଘୋଷା ।
ସଙ୍କେତରୁ ଆଶା ବଳି ଥିଲି ଅଙ୍ଗ ସଙ୍ଗ ଭାଳି
ନ ଦେଖି ଦୁଃଖ ପ୍ରବଳି ଭେଦି ଗଲାନି ମରମକୁ ବଳି । ୧ ।
ଆସିବି ବୋଲି ସେ କହି କୁଞ୍ଜରେ ମତେ ବସାଇ
କାହା ପ୍ରୀତିରେ ସେ ଯାଇ ରହିଲେ ନିଶି ମାନସ ମଜ୍ଜାଇ । ୨ ।
ତୋ ବାଣୀ ପରତେ କରି କୁଳଶୀଳ ପରିହରି
ମୋହନେ ପ୍ରୀତି ଆଦରି ଏବେ ଆସି ମୁଁ ନୋହିଲି କାହାରି । ୩ ।
ଦ୍ୱିଜ ରଘୁନାଥ କହି ଶ୍ରୀମତୀ ବିରସ ଚାହିଁ
ନ ଭାଳ ଆଉ ତୁ ସହୀ ଆଣିବି ତାଙ୍କୁ ମାନସ ରସାଇ । ୪ ।