(ରଘୁନାଥ— ରାଗ ପରଜ, ତାଳ ଆଡ଼ତାଳି)
ଶ୍ୟାମ ପ୍ରୀତିକି କିଶୋରୀ ରେ
ସତେ ଦେବୁକି ପାଶୋରି । ଘୋଷା ।
ଏ ରସ ବସନ୍ତ ସମୟ ହୋଇଛି ଯେ
ପିକ ଡାକରେ ଧୃତି ଖସୁଛି
ଯେତେବେଳେ ବିଧୁ ଉଦେ ହୋଇଯିବ ଆସି ଗୋ
ସାହା ହେବ ସେ ହର ଅରାତିକିରେ ରାତିକି । ୧ ।
ଯାହାର ହାର ବିହାର ଆହାର ସହିତେ ଗୋ
ବାହାର ହେଲାନି ତୋ ବାହାରେ
ୟେତେକ ହେଲେ ତୋ ମନ ନୁହେ ସମାଧାନ ଗୋ
ଏଥୁ ବଳି ଦେବୁ କି ବିପତ୍ତିକି ରେ ପତିକି । ୨ ।
ଘେନାଘେନିରେ ମନାଇ ଥିବାର ପୀରତି ଗୋ
ମନା ହୁଅଇ ସେ ଯେବେ ଆସି
ମନା କରି ପୁଣି ଲୋଡ଼ି ଆଣିବି ବୋଇଲେ ଗୋ
ଆଉ କେହି ଅଛି ଗଜଗତି କିରେ ଗତି । ୩ ।
ଯାହାକୁ ଦେଖିଲେ ପଶୁପକ୍ଷୀ ମତି ଭୁଲେ ଗୋ
ଯତି ସତୀ ରୀତି କେ ପଚାରେ
ତୋହୋର ସ୍ନେହିକୁ ସେ ରହିଲେ ଅନୁସରି ଗୋ
କାହିଁକି ନୋହୁଛି ସେ ମୂରତି କରେ ରତିକି । ୪ ।
କବି କୁମୁଦବାନ୍ଧବ ରଘୁନାଥ କହେ ଯେ
ହାସ ରସ କଉତୁକେ ମାତି
ଯୁଗଳ ହୋଇ ଯେ ରହୁଥାଇ ନିତି ନିତି ଯେ
ଦୂର କରେ ଆସିଲି ମୁଁ କତିକି ରେ କତିକି । ୫ ।