(ରଘୁନାଥ— ରାଗ ତୋଡ଼ି, ତାଳ ଆଦିତାଳ)
କରକ ରଦନା ପାରି କର ସାର ନ ସାର । ଘୋଷା ।
ବିନା ଦୋଷରେ ନବୀନା ମନା ନ କର କାମନା
ଅନା ବିରସ ହୁଅନା ଜନାପବାଦେ ମଜ୍ଜନା । ୧ ।
ରସବତୀ ଭାବେ ରସ ଭାଷ ସୁମଧୁର ଭାଷ
ଦାସରେ ନୁହ ଉଦାସ ଆସ ନ ନାଶ ମୋ ଆଶ । ୨ ।
ରସାରେ ତୁ ମୋ ଭରସା ଭୁଷାନା କାମେ ସୁଭୂଷା
ନିଶା ପୂରାଅ ମନୀଷା ରସା ସ୍ନେହରେ ସୁରସା । ୩ ।
ଦରହାସୀ ମୋ ହୃଦର ତରଳ ତୁହି ମାତର
ଧର ଉରଜା ଉଦ୍ଧର ହର ଏ ଦୁଃଖ ମୋହର । ୪ ।
ଏ ବେଦନା ଦେଖି ଏବେ ଲବେ ଚିତ୍ତ ନ ପଲ୍ଲବେ
ଭବେ ଏହା ନ ସମ୍ଭବେ ଭାବେ ରଘୁନାଥ ଭାବେ । ୫ ।