(ରଘୁନାଥ— ରାଗ ରେଗୁପ୍ତ, ତାଳ ଆଡ଼ତାଳି)
ରୁଷି ପାରିଲେ ସେ ପାରେ ରୁଷି ଗୋ
ତୋଷିବେ ବୋଲି ସେ ରସି ପ୍ରତିଆଶେ
ବସି ସାରିଲା ଯେ ନିଶି ଗୋ । ଘୋଷା ।
ସଜ କରାଇ ଯେ କେଳି ଗୃହକୁ
ସଜଡ଼ାଇ ସୁବେଶରେ ଦେହକୁ
ସଜପଦ୍ମମୁଖୀ ସଜନୀ ନ ରଖି
ସଞ୍ଜରୁ ଯେ ଥିଲା ଆସି ଗୋ । ୧ ।
ସୁମନସ ଲାଗି ହେବେ ସେ ବୋଲି
ସୁମନରେ ଗୁନ୍ଥିଥିଲା ଛଇଳୀ
ପ୍ରେମରସେ ପୂରି କାମନା ସେ କରି
କାମଶରେ ହେଲା ତ୍ରାସୀ ଗୋ । ୨ ।
କାନନକୁ ସଖୀ ସଙ୍ଗେ ସେ ଯାଇ
ଈନ ସବିଧିରେ ନିତି ପୂଜଇ
ସେ ନ ଆସିବାରେ ଦିନ ବଞ୍ଚିବାରେ
ଆନ ସେହି ତୁଲେ ରସି ଗୋ । ୩ ।
ପରଜନ ଗୁରୁଜନ ନିକର
ତରଜନକୁ ସହୀ ଯେ ନିକର
ବରତରେ ମିତ ଅରଜିଛି ଚିତ୍ତ
ନିରତ ହୋଇ ଯେ କ୍ଳେଶୀ ଗୋ । ୪ ।
ସବିଧିରେ ସହୀ କହୁ ଏ ବାଣୀ
କବିସୁଧାଂଶୁ ରଘୁନାଥ ଭଣି
ଭାବି ଏହା କହି ସୁବିବେକୀ ହୋଇ
ନ ବିଚାରି ହେଲେ ଦୋଷୀ ଗୋ । ୫ ।