(ରଘୁନାଥ— ରାଗ ଆଶାବରୀ, ତାଳ ଆଡ଼ତାଳି)
ନ କଲେ ତୁ ମୋର ସେ ହେଲେ କାହାର ମା
ନ ବୋଲାଇବ କି ଯେ ଯାହାର ସେ ତାହାର ମା । ଘୋଷା ।
ଫୁଲ ତୋଳି ଯାଇଥିଲି ଦେଖି ତା ଆତୁର
ଆକୁଳରେ ଉଡ଼ିଗଲା ସାହାସ ମୋହର ମା । ୧ ।
ତଳ ତଳପରେ ଗଡ଼ି ହେବାର ଅଥିର
ଦେଖି ଦେଖି କାହା ଚିତ୍ତ ନୋହିବ କାତର ମା । ୨ ।
ତୋ ଦୁଃଖ ଦେଖି ସେ ଛାଡ଼ି ନେଲାନି ଆହାର
ବଳ ଥିଲେ ବଳେ ଆସି ଧରନ୍ତେ ପୟର ମା । ୩ ।
ଶର ମାରି ମାରି ସ୍ମର କଲାନି ଅଥିର
କହେ ରଘୁନାଥ କୋପ ଏଥର ସଂହର ମା । ୪ ।