(ରଘୁନାଥ— ରାଗ ଆଶାବରୀ, ତାଳ ଆଡ଼ତାଳି)
କି ଅଭିମାନ କଲି ପ୍ରାଣଧନ ଗୋ
କର ଧରି କହୁ କହୁ ନ କହି ବଚନ ଗୋ । ଘୋଷା ।
ଯେ ପରାଣରୁ ଅଧିକ ତାହାକୁ ଅଧୀରେ
ପର ପରି କରିଦେଲି ଦାରୁଣ ବୁଦ୍ଧିରେ ଗୋ । ୧ ।
ମୟୂଖ ପଟଳୀ ସେବା ନିତି ଯାହା ଲାଗି
ତାକୁ ରୁଷିବା କଥାକୁ ନ ପାରିଲି ଜଗି ଯେ । ୨ ।
ଯେ ଜଗତ ମୋହିପାରେ ମୁରଲୀ ବଜାଇ
ତାହାକୁ ଦେଲି ମଦନେ ବିବେକ ହଜାଇ ଗୋ । ୩ ।
ମୃଧା କ୍ରୋଧାବେଶେ ମୋର ମାନସ ମଜ୍ଜାଇ
ଚିନ୍ତାହଜା ଚିନ୍ତାମଣି କରରୁ ହଜାଇ ଗୋ । ୪ ।
ଦ୍ୱିଜ ରଘୁନାଥ ବୋଲେ ରାଧା ଗିରେ ତୋଷେ
ସଖୀ ଆଣି ଭେଟାଇଲେ ଘନଶ୍ୟାମ ରସେ ସେ । ୫ ।