(ଦ୍ୱିଜ ପଦ୍ମନାଭ— ରାଗ ଯମୁନା କଲ୍ୟାଣ, ତାଳ ଝୁଲା)
ନବଘନ ବରନ ଶ୍ୟାମ
ବାମନୟନୀ କୁଞ୍ଜେ ଯୁଗଳ ରୂପ ସ୍ମର
କେଳତି ଦ୍ୟୁତିକି ଛବିରେ ଗଞ୍ଜେ । ଘୋଷା ।
ବାମ କରି ନ ପାରି
ମଦନ ଯିବାରୁ ଫେରି
ଦେଖି ଆଚମ୍ବିତେ ବିଜୁଳି ସ୍ଥକିତେ
ରହେ କି ଜଳଦ ପୁଞ୍ଜେ । ୧ ।
ଚୁମ୍ବକୁ ପ୍ରତିଚୁମ୍ବେ
ଶୁଝିବାରୁ ଅବିଳମ୍ବେ
ନୀଳ କମଳ ଉଲଟେ ରହିଲା
ବିମଳ ହେମ କଞ୍ଜେ । ୨ ।
କିଶୋରୀ କି ଶରେ ଚାତୁରୀ
ପୁଣି ଅତିଶୟ ମାଧୁରୀ
ପରସ୍ପରେ ଜାତ ହୋଇବା ଭାବ
ଉଭୟ ମନକୁ ରଞ୍ଜେ । ୩ ।
ଚିନ୍ତି ଏହି କେଳିକି
ହରିବାକୁ ଦିନ ରାତିକି
ପଦ୍ମନାଭ ଚିତ୍ତ ନିରତ
ଯାମଳାର୍ଜ୍ଜୁନ ଭଞ୍ଜେ । ୪ ।