Se Braja Nagaraku Go

ସେ ବ୍ରଜ ନାଗରକୁ ଗୋ
(Somanatha Singha)
(ସୋମନାଥ ସିଂହ)

ସେ ବ୍ରଜ ନାଗରକୁ ଗୋ
କେହୁ ଆଣିଦେବ ମୋରେ । ଘୋଷା ।

ଦେଖିଥିଲି ଦିନେ ଏ ଗୋପ ଦାଣ୍ଡରେ
ଆସୁଥିଲେ ହରି ବତ୍ସା ସଙ୍ଗତରେ
ଗୋପାଳ ମଧ୍ୟରେ ଚନ୍ଦ୍ରିକା ପରାଏ
ବଂଶୀ ଧରିଥିଲେ କରେ । ୧ ।

ଶିରରେ ମୟୂର ଚନ୍ଦ୍ରିକାର ଚୂଳ
ନାସେ ଶୋଭାବନ ଦିଶେ ସିନ୍ଧୁଫଳ
କର୍ଣ୍ଣରେ ଜଡ଼ିତ ମର୍କତ କୁଣ୍ଡଳ
ଭାଲେ ଗୋରଚନା ଗାରେ । ୨ ।

ହୃଦରେ ପଦକ ହସ୍ତରେ କଙ୍କଣ
କଟୀରେ କିଙ୍କିଣୀ ବାଜେ ରୁଣଝୁଣ
ପୟରେ ନୂପୁର ଦିଶେ ଶୋଭାବନ
ଢଳି ଚାଲେ ଧୀରେ ଧୀରେ । ୩ ।

ପିନ୍ଧି ପୀତାମ୍ବର ଯଶୋଦା କୁମର
ମନ୍ଦେ ମନ୍ଦେ ହସ ସେ ବିମ୍ବ ଅଧର
ରତିପତି ଜିଣି ଦିଶଇ ସୁନ୍ଦର
ନେତ୍ରେ ରଖି ତୀକ୍ଷ୍ଣ ଶରେ । ୪ ।

ନ ରହଇ ମତି ମନେ ପଡ଼ିଲେତି
ହୋଉ ପଛେ ମୁହିଁ ପାଇବି ଅକୀର୍ତ୍ତି
ଭାଷେ ସୋମନାଥ ଅନଗୁଳ ପତି
ଭେଟାଇବି ଶ୍ୟାମ ବାରେ । ୫ ।