Syamara Natabara Rupa Chahin

ଶ୍ୟାମର ନଟବର ରୂପ ଚାହିଁ
(Somanatha Singha)
(ସୋମନାଥ ସିଂହ)

ଶ୍ୟାମର ନଟବର ରୂପ ଚାହିଁ
ଦେଖିଲା ବେଳୁ ଚିତ୍ତ ହେଲା ବାଇ । ଘୋଷା ।

ଶିର ପରେ ଚନ୍ଦ୍ରିକା ଚୂଳ କରିଛି ଡକା
ମାର ମାରୁଛି ସହି ନ ପାରଇ । ୧ ।

ସୁନ୍ଦର ମୁଖ ତାର ହସିଲେ ଧୀର ଧୀର
ତନୁ ଆନନ୍ଦେ ଜରଜର ହୋଇ । ୨ ।

ନାନା କୁସୁମେ ବେଣୀ ସଜାଇଥାଏ ପୁଣି
ନୟନ ଠାରି ମନ ମୋହି ନେଇ । ୩ ।

କ୍ଷୀଣ କଟିରେ ଉଡ଼ି ଆଣି ଯତନେ ଭିଡ଼ି
ଶବଦେ ହୃଦ ହେଉଥାଏ ଦହି । ୪ ।

ସୋମନାଥ ନରେନ୍ଦ୍ର ନୃପକୁଳରେ ଚନ୍ଦ୍ର
ଭାଷେ ସଖୀ ବଂଶୀରେ ନୋହି ରହି । ୫ ।